୨୦୨୭ ପଞ୍ଚାୟତ ନିର୍ବାଚନ: ଗାଁ ଦଖଲ ପାଇଁ ବିଜେପିର ବଡ଼ ରଣନୀତି, ଦୁଇ-ତୃତୀୟାଂଶ ଆସନ ଜିତିବା ଲକ୍ଷ୍ୟ

kalipuja

ଭୁବନେଶ୍ଵର: ୨୦୨୭ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତିରେ ହଲଚଲ | ଗାଁ ଗାଁରେ ସଂଗଠନ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଲେଣି ସବୁ ରାଜନୈତିକ ଦଳ| ଶାସକ ଦଳ ବିଜେପିର ଫୋକସରେ ଯୁବ, ମହିଳା ଭୋଟର | ଦଳର ରାଜ୍ୟ ପ୍ରଭାରୀଙ୍କ ଦମ୍ଭୋକ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁଇ-ତୃତୀୟାଂଶ ଆସନ ଦଖଲ କରିବ ବିଜେପି | ତେବେ ଏହି ଦାବିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା| ବିଜେପିର ଏହି ରଣନୀତିକୁ କାଉଣ୍ଟର କରିବାକୁ ବିଜେଡି ଓ କଂଗ୍ରେସର ପ୍ରସ୍ତୁତି କ’ଣ ?
ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ଏବେ ଗାଁ ଦଖଲ ଉପରେ ସବୁ ଦଳର ନଜର | ପଞ୍ଚାୟତ ନିର୍ବାଚନ ହେଉଛି ତୃଣମୂଳ ସ୍ତରରେ ରାଜନୈତିକ ଶକ୍ତି ପ୍ରଦର୍ଶନର ବଡ଼ ମଞ୍ଚ | ତେଣୁ ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଏବେଠୁ ସଂଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି ରାଜନୈତିକ ଦଳ | ତେବେ ବିଜେପି ପାଇଁ ଏହି ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ | ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନର ସାମ୍ନା କରିବ ଦଳ | ଏଥିପାଇଁ ମୈଦାନକୁ ଓହ୍ଲାଇଛନ୍ତି ଦଳର ବରିଷ୍ଠ ନେତା | ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ସ୍ୱଦେଶ ସିଂହ ସଂଗଠନକୁ ନେଇ ଘନ ଘନ ବୈଠକ କରୁଛନ୍ତି | ଜିଲ୍ଲାୱାରୀ ଗସ୍ତ ସାଙ୍ଗକୁ ଜିଲ୍ଲାସ୍ତରରେ ଘନ ଘନ ବୈଠକ, ତୃଣମୂଳ ସ୍ତରରେ କର୍ମୀଙ୍କୁ ସକ୍ରିୟ କରିବା ଏବଂ ସଂଗଠନର ସମୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ପ୍ରଭାରୀ |
ଆଉ ଏହାରି ଭିତରେ ବିଜେପି ରାଜ୍ୟ ପ୍ରଭାରୀ ଦମ୍ଭୋକ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁଇ-ତୃତୀୟାଂଶ ଆସନ ଦଖଲ କରିବ ବିଜେପି | ୧୫ ଜିଲ୍ଲା ବୁଲି ବିଭିନ୍ନ ସାଂଗଠାନିକ ବୈଠକ କରି ରଣନୀତି ପ୍ରସ୍ତୁତ ହୋଇଛି | ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଯୁବ, ମହିଳା ତଥା ବିଭିନ୍ନ ବର୍ଗ ଭାରତୀୟ ଜନତା ପାର୍ଟି ସହ ଅଛନ୍ତି | ଯୁବ, ମହିଳା, ଜନଜାତି ତଥା ସମସ୍ତ ବର୍ଗ ବିଜେପି ସହ ଅଛନ୍ତି ବୋଲି କହିଛନ୍ତି ସହ ପ୍ରଭାରୀ ସ୍ବଦେଶ ସିଂ।
ସେପଟେ ବିଜେଡି ଓ କଂଗ୍ରେସ ପାଇଁ ମଧ୍ୟ ଏହି ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ | ୨୪ ବର୍ଷର ଶାସନ ଏବଂ ଗ୍ରାମାଞ୍ଚଳରେ ଦଳର ପୁରୁଣା ଜନାଧାରକୁ ଆଧାର କରି ନିର୍ବାଚନୀ ବୈତରଣୀକୁ ଓଲ୍ହାଇବାକୁ ଯୋଜନା କରୁଛି ବିଜେଡ଼ି | ନବୀନଙ୍କ ସଭା, ଜିଲ୍ଲା ଗସ୍ତ ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା ଦଳ ପାଇଁ ଗୁରୁତ୍ୱ ବହନ କରିବ | ନିକଟରେ ଗଞ୍ଜାମ ଗସ୍ତ ମଧ୍ୟ ଦଳର ପୁରୁଣା ଗଡ଼ରେ ଜନସମର୍ଥନ ଫେରାଇ ଆଣିବାର ଉଦ୍ୟମ ଭାବେ ଦେଖାଯାଇଛି | ତେବେ ବିଜେପି ପ୍ରଭାରୀଙ୍କ ଦମ୍ଭୋକ୍ତିକୁ ମୁଂଗେରି ଲାଲ କି ସପ୍ନେ କହି କଟାକ୍ଷ କରିଛି ବିଜେଡ଼ି |
ସେପଟେ କଂଗ୍ରେସ ରାଜଧାନୀରେ ପ୍ରତିବାଦ ନୁହେଁ, ବରଂ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ଉପରେ ଦଳ ଗୁରୁତ୍ୱ ଦେଉଛି | ପଂଚାୟତ ନିର୍ବାଚନ ପୂର୍ବରୁ ଦଳିତ, ଆଦିବାସୀ, ମହିଳା, ଯୁବକ ଓ ଅଭିଜ୍ଞ ନେତାଙ୍କୁ ନେଇ ସଂଗଠନରେ ସମନ୍ୱୟ ରଖିବାକୁ ଉଦ୍ୟମ କରୁଛି କଂଗ୍ରେସ | ସେପଟେ ଅଢେଇ ବର୍ଷର ସରକାର ରାଜ୍ୟର ସମସ୍ତ ବର୍ଗଙ୍କ ପାଇଁ କାମ କରୁଥିବାରୁ ସେମାନେ ବିଜେପିକୁ ପଞ୍ଚାୟତ ନିର୍ବାଚନରେ ଭରସା କରିବେ ବୋଲି କହିଛି ଦଳ।
୨୦୨୭ ପଞ୍ଚାୟତ ନିର୍ବାଚନକୁ ୨୦୨୯ ବିଧାନସଭା ନିର୍ବାଚନର ସେମିଫାଇନାଲ ଭାବେ ଦେଖାଯାଉଛି | ରାଜ୍ୟରେ ୬,୭୦୦ରୁ ଅଧିକ ଗ୍ରାମ ପଞ୍ଚାୟତ, ୩୧୪ଟି ପଞ୍ଚାୟତ ସମିତି ଏବଂ ୮୫୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ | ତେବେ ଗାଁ ଗାଁରେ କାହାର ସଂଗଠନ କେତେ ମଜବୁତ, କାହା ପ୍ରତି ରହିଛି ଜନସମର୍ଥନ, ତାହାର ଉତ୍ତର ଦେବେ ଗ୍ରାମାଞ୍ଚଳର ଭୋଟର।

ad-week
Leave A Reply

Your email address will not be published.