ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ନେଇ ହାଇଆଲର୍ଟ, ଗଞ୍ଜାମ ଓ ଗଜପତିର ୧୦ ଡ୍ୟାମ୍ ଉପରେ ନଜର

kalipuja

ଭୁବନେଶ୍ୱର ୧୫।୧୧: ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହାସହ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସା) ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ମନିଟରିଂ), ମୁଖ୍ୟ ଯନ୍ତ୍ରୀ, ଆର୍‌ବିଭିଏନ୍‌, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ସମ୍ପୃକ୍ତ ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଯୋଗଦେଇଥିଲେ ।
ବୈଠକରେ ସମ୍ଭାବ୍ୟ ବର୍ଷାର ପରିମାଣ, ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧିର ଆଶଙ୍କା, ଜଳଭଣ୍ଡାର ଗୁଡ଼ିକରେ ଜଳପ୍ରବେଶ ଏବଂ ସେଗୁଡ଼ିକର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ୮ଟି ମଧ୍ୟମ ଜଳଭଣ୍ଡାର ଏବଂ ଗଜପତି ଜିଲ୍ଲାର ୨ଟି ମଧ୍ୟମ ଜଳଭଣ୍ଡାରରେ ବୃଦ୍ଧି ପାଇଥିବା ଜଳସଂରକ୍ଷଣର ସ୍ଥିତିକୁ ନେଇ ସବିଶେଷ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନର ଜଳସଂରକ୍ଷଣ ସ୍ତର ଏବଂ ପାଣିପାଗର ପୂର୍ବାନୁମାନକୁ ଆଧାର କରି ଆଗାମୀ ପାଣିପାଗଜନିତ ପରିସ୍ଥିତିରେ ଅନୁସରଣ କରାଯିବାକୁ ଥିବା ଏସ୍‌ଓପି ମଧ୍ୟ ଚୂଡ଼ାନ୍ତ କରାଯାଇଥିଲା ।
ଜଳଭଣ୍ଡାର ଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା, ବିଭିନ୍ନ ଡିଭିଜନ ମଧ୍ୟରେ ଉତ୍ତମ ସମନ୍ୱୟ ବଜାୟ ରଖିବା ଏବଂ ସମୟୋଚିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସମ୍ଭାବ୍ୟ ବିପଦର ଆଗୁଆ ଆକଳନ, ସତର୍କତାମୂଳକ ପଦକ୍ଷେପ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଜଳଭଣ୍ଡାର ଓ ଅନ୍ୟାନ୍ୟ ଜଳଭିତ୍ତିକ ଭିତ୍ତିଭୂମିର ସୁରକ୍ଷା ପାଇଁ ବିଭାଗ ପ୍ରତିବଦ୍ଧ ରହିଛି । ଆଗାମୀ ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ ଦିଆଯାଇଛି ।

ad-week
Leave A Reply

Your email address will not be published.