
ଧର୍ମଗଡ଼: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ତହସିଲଦାର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଧରିଲା ଭିଜିଲାନ୍ସ । ଗଣ୍ଡାମେର ଗାଁର ଚନ୍ଦ୍ର କେତିକି ନିଜର ୨୪ ଡିସିମିଲ ଜାଗାକୁ ଘର ବାରି ଭାବେ ନିର୍ମାଣ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ । ଏଥିପାଇଁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାପରେ ନଭେମ୍ବର ୨ ତାରିଖରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ତଦନ୍ତ ରିପୋର୍ଟ ଓ ନକ୍ସା ତହସିଲଦାରଙ୍କ ନିକଟରେ ଦାଖଲ କରିଥିଲେ । ତେବେ ରିପୋର୍ଟ ଦାଖଲ ସତ୍ତ୍ୱେ ତହସିଲଦାର ଫାଇଲ୍ ଆଗକୁ ବଢ଼ାଇ ନ ଥିଲେ । ସଂଶୋଧିତ ରେକର୍ଡ ଅଫ୍ ରାଇଟ୍ସ ପ୍ରଦାନ ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା ।
ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ଅନୁଯାୟୀ, ଆଜି ତହସିଲଦାର ଡ୍ରାଇଭରଙ୍କ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଥିଲା । ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଘଟଣା ପରେ ତହସିଲଦାର ଚନ୍ଦନ କୁମାର ନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନ ଏବଂ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ଏକକାଳୀନ ଚଢ଼ାଉ ଜାରି ରହିଛି । ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଉଭୟଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।
