ବାଲିଗୁଡ଼ା ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ଦାବି: ଉପଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କଲା ଜନପ୍ରତିନିଧି ପରିଷଦ

kalipuja

ବାଲିଗୁଡ଼ା, ୨୧/୧୧ : ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ବାଲିଗୁଡ଼ା ବ୍ଲକରେ ଉନ୍ନତ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଆବାସିକ ଶିକ୍ଷା ସୁଯୋଗ ପ୍ରଦାନ ନିମନ୍ତେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ସ୍ଥାପନ ଦାବି ଜୋରଦାର ହୋଇଛି। ଏହି ମର୍ମରେ ବାଲିଗୁଡ଼ା ବ୍ଲକ୍ ସ୍ତରୀୟ ଜନପ୍ରତିନିଧି ପରିଷଦ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଏକ ଆଦିବାସୀ ବହୁଳ ଓ ଭୌଗୋଳିକ ଦୃଷ୍ଟିରୁ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାକାର ଅନେକ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚମାନର ଶିକ୍ଷା ହାସଲ କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଦୁର୍ଗମ ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଉନ୍ନତ ଶିକ୍ଷା ସହ ରହିବା, ଖାଇବା ଓ ପାଠପଢ଼ାର ସୁବ୍ୟବସ୍ଥା ଥିବା ଆବାସିକ ବିଦ୍ୟାଳୟର ଆବଶ୍ୟକତା ଦୀର୍ଘଦିନ ଧରି ଅନୁଭୂତ ହେଉଛି।

ପରିଷଦ ପକ୍ଷରୁ କୁହାଯାଇଛି ଯେ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ହେଲେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଉନ୍ନତ ଶିକ୍ଷା ପରିବେଶ ଓ ଆବାସିକ ସୁବିଧା ମିଳିପାରିବ। ଏହାଦ୍ୱାରା କେବଳ ବାଲିଗୁଡ଼ା ବ୍ଲକ୍ ନୁହେଁ, ବରଂ ଆଖପାଖ ଅଞ୍ଚଳର ଅନେକ ଗ୍ରାମାଞ୍ଚଳର ମେଧାବୀ ଓ ଆର୍ଥିକ ଅନଗ୍ରସର ପରିବାରର ପିଲାମାନେ ମଧ୍ୟ ଉପକୃତ ହୋଇପାରିବେ। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଅଞ୍ଚଳର ପଛୁଆପଣ ଦୂର କରିବା ସହ ଭବିଷ୍ୟତ ପିଢ଼ିକୁ ଉଚ୍ଚଶିକ୍ଷା ଦିଗରେ ଆଗେଇ ନେବାରେ ଏହି ବିଦ୍ୟାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପରିଷଦ ଆଶା ପ୍ରକାଶ କରିଛି।

ତେଣୁ ଏହି ଜନସ୍ୱାର୍ଥ ସମ୍ବଳିତ ଦାବିକୁ ଗୁରୁତ୍ୱର ସହ ବିଚାର କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ବାଲିଗୁଡ଼ା ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ମଧ୍ୟ ଦାବିପତ୍ର ଗ୍ରହଣ କରିବା ସହ ଏ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ ବ୍ଲକ୍ ସ୍ତରୀୟ ଜନପ୍ରତିନିଧି ପରିଷଦର ଉପସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଲ୍ଲିକ, ଜାନକୀ କହଁର, ଉପଦେଷ୍ଟା ରଘୁନାଥ ମଲ୍ଲିକ, ଦୟାନିଧି ମଲ୍ଲିକ, ଅଭିରାମ ରଣା, ଚାନ୍ଦୁଲାଲ ମଲ୍ଲିକ, ରଞ୍ଜିତ କୁମାର ଦିଗାଲ, ପିଙ୍କି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ରହି ଏହି ଦାବିକୁ ସମର୍ଥନ ଜଣାଇଥିଲେ। ଆଦିବାସୀ ଅଞ୍ଚଳରେ ଶିକ୍ଷାର ଆଲୋକ ପହଞ୍ଚାଇବା ପାଇଁ ବାଲିଗୁଡ଼ା ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ଏବେ ଅଞ୍ଚଳବାସୀଙ୍କ ଏକ ପ୍ରମୁଖ ଦାବି ଭାବେ ଉଭା ହୋଇଛି।

ad-week
Leave A Reply

Your email address will not be published.