
ବ୍ରହ୍ମପୁର : ଗତ ତିନି ସପ୍ତାହ ମଧ୍ୟରେ ଦୁଇ ଦୁଇଟି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣଭ’ ଓ ‘ଅକୱାନ’ ଏବଂ ପରବର୍ତ୍ତୀ ପ୍ରଳୟଙ୍କାରୀ ବନ୍ୟାରେ ଆସିକା ଅଞ୍ଚଳର ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାତ୍ୟା ‘ଅର୍ଣ୍ଣଭ’ ପରେ ଆସିକାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର କ୍ଷତ ନ ଶୁଖୁଣୁ ପୁଣି ‘ଅକୱାନ’ ବାତ୍ୟା ପ୍ରଭାବରେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିଲା। ତେବେ ବିପତ୍ତିକୁ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଘୋଷିତ ରିଲିଫ୍ ସହାୟତା ବିପନ୍ନଙ୍କ ନିକଟରେ ପହଞ୍ଚି ପାରିନାହିଁ। ଫଳରେ ସରକାରୀ ସହାୟତା କେବେ ମିଳିବ, ସେ ନେଇ ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ଓ ଆଲୋଚନା ଦେଖାଦେଇଛି।
ବନ୍ୟା ବିପନ୍ନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ସହାୟତା ନାଁରେ କେବଳ ଗଣ୍ଡେ ଚୁଡ଼ା, ଗୁଡ଼ ଖଣ୍ଡେ ଏବଂ କେତେକ ନିର୍ଦ୍ଦିଷ୍ଟ ୱାର୍ଡରେ ପାଲ ଖଣ୍ଡେ ଲେଖାଏଁ ଦେଇ କାମ ସାରିଦିଆଯାଇଛି। ବାତ୍ୟା ‘ଅର୍ଣ୍ଣଭ’ ଯିବାର ତିନି ସପ୍ତାହ ପରେ ମଧ୍ୟ ରାଜସ୍ୱ ବିଭାଗ, ଏନଏସି (ମୁନିସିପାଲିଟି) ପ୍ରଶାସନ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା କରାଯାଉଥିବା କ୍ଷୟକ୍ଷତି ଆକଳନ ସର୍ଭେ ଅତ୍ୟନ୍ତ କଚ୍ଛପ ଗତିରେ ଚାଲିଛି।

ଅନ୍ୟପକ୍ଷରେ, ରାସନ କାର୍ଡଧାରୀ ହିତାଧିକାରୀଙ୍କୁ କେବଳ ୫୦ କେଜି ଲେଖାଏଁ ଚାଉଳ ମିଳିଥିବା ବେଳେ ନନ୍-ରାସନ କାର୍ଡଧାରୀ ବିପନ୍ନମାନେ ଏଯାଏଁ ସମ୍ପୂର୍ଣ୍ଣ ଅବହେଳିତ ହୋଇ ରହିଛନ୍ତି। ବିନା ରାସନ କାର୍ଡରେ ଥିବା ବନ୍ୟା ପୀଡ଼ିତଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ସରକାର ଯେଉଁ ଘୋଷଣା କରିଥିଲେ, ତାହା କେବଳ କାଗଜକଲମ ଓ ପ୍ରତିଶ୍ରୁତିରେ ହିଁ ସୀମିତ ରହିଯାଇଛି। ସରକାରଙ୍କ ଏହି ଘୋଷଣା ଏକ ‘ଧୂଆଁବାଣ’ ପାଲଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବିପନ୍ନଙ୍କ ଦୁର୍ଦ୍ଦଶା ସମୟରେ ତ୍ୱରିତ ପଦକ୍ଷେପ ନେବା ପରିବର୍ତ୍ତେ ପ୍ରଶାସନିକ ସ୍ତରରେ ଏଭଳି ମନ୍ଥରତାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏପରିକି ରାଜ୍ୟରେ ଥିବା ‘ଡବଲ ଇଞ୍ଜିନ’ ସରକାରର ବିକାଶ ଓ ରିଲିଫ୍ କାର୍ଯ୍ୟ ଆସିକା ଅଞ୍ଚଳରେ ସମ୍ପୂର୍ଣ୍ଣ ଧିମେଇ ଯାଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତୁରନ୍ତ ସର୍ଭେ କାର୍ଯ୍ୟ ଶେଷ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘୋଷିତ ରିଲିଫ୍ ରାଶି ଓ ସାମଗ୍ରୀ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।
