ରାଉରକେଲା ପୁଲିସର ବଡ଼ ସଫଳତା: ଅସ୍ତ୍ରଶସ୍ତ୍ର ଓ କଫ୍ ସିରପ୍ ଚୋରା ଚାଲାଣ ନେଟୱର୍କର ପର୍ଦ୍ଦାଫାସ୍, ନଗଦ ୧୧.୬୩ ଲକ୍ଷ ଟଙ୍କା ଓ ପିସ୍ତଲ ସହ ୨ ଅଟକ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ତଥା ରାଜ୍ୟ ମଧ୍ୟରେ ଚାଲିଥିବା ବେଆଇନ କଫ୍ ସିରପ୍ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱର୍କ ବିରୋଧରେ ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଅପରାଧିକ ନେଟୱର୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ଲାଣ୍ଟସାଇଟ୍ ପୁଲିସ ରାଉରକେଲାର ବିଶ୍ରା ଛକଠାରେ ନାକା ଚେକିଂ ସମୟରେ ଏକ ମାରୁତି ବ୍ରେଜା କାର୍କୁ ଅଟକାଇ ଦୁଇ ଜଣଙ୍କୁ ଅଟକ ରଖିଥିଲା।
ଗାଡ଼ିର ତଲାସୀ ସମୟରେ ପୁଲିସ ସେମାନଙ୍କ ନିକଟରୁ ୨ଟି ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ନଗଦ ୧୧,୬୩,୦୦୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍, ଗୋଟିଏ ଗାଡ଼ି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଜାଲ୍ କାଗଜପତ୍ର ବ୍ୟବହାର କରି ବେଆଇନ କଫ୍ ସିରପ୍ (WINCEREX) ବାହାର ରାଜ୍ୟରୁ ଆଣି ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ବିତରଣ କରୁଥିଲେ। ଏହି ବେଆଇନ ବ୍ୟବସାୟରୁ ମିଳୁଥିବା କଳା ଟଙ୍କାରେ ବିହାରରୁ ଅସ୍ତ୍ରଶସ୍ତ୍ର କିଣି ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି।
ଜବତ ସାମଗ୍ରୀ:
- ୦୨ଟି ଦେଶୀ ପିସ୍ତଲ
- ୦୨ଟି ଜୀବନ୍ତ ଗୁଳି
- ନଗଦ ୧୧,୬୩,୦୦୦ ଟଙ୍କା
- ୦୩ଟି ମୋବାଇଲ୍ ଫୋନ୍
- ୦୧ଟି ମାରୁତି ବ୍ରେଜା କାର୍
- ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର
ଏହି ଅପରାଧିକ ନେଟୱର୍କରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା, ସେମାନଙ୍କର ଆର୍ଥିକ କାରବାରର ତଦନ୍ତ କରିବା ଏବଂ ବେଆଇନ ଅସ୍ତ୍ରଶସ୍ତ୍ରର ଉତ୍ସ ଓ ଗନ୍ତବ୍ୟସ୍ଥଳ ଜାଣିବା ପାଇଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
