ପରବ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ: ମହିଳା ତୀରନ୍ଦାଜି ଓ ଦିବ୍ୟାଙ୍ଗ ପ୍ରତିଯୋଗିତାକୁ ମିଳିଲା ଗୁରୁତ୍ୱ

kalipuja

କୋରାପୁଟ : ଆଗାମୀ ‘ପରବ-୨୦୨୬’ ଉପଲକ୍ଷେ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କ୍ରୀଡ଼ା ଏବଂ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ପ୍ରତିଯୋଗିତାଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ସର୍ବସମାବେଶୀ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ପରବରେ ପ୍ରଥମ ଥର ପାଇଁ ମହିଳାଙ୍କ ନିମନ୍ତେ ତୀରନ୍ଦାଜି ପ୍ରତିଯୋଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ଦିବ୍ୟାଙ୍ଗ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସ୍ୱତନ୍ତ୍ର ଆଥଲେଟିକ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହ ପରାମର୍ଶ କରି ଚୂଡ଼ାନ୍ତ କାର୍ଯ୍ୟକ୍ରମ ତାଲିକା ପ୍ରସ୍ତୁତ କରାଯିବ।

ସେହିପରି ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରତିଯୋଗିତାଗୁଡ଼ିକରେ କୋରାପୁଟର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ବିଷୟବସ୍ତୁ ଯୋଡ଼ିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ, ପରବ-୨୦୨୬ରେ ସ୍ଥାନୀୟ ଭାଷାରେ ମଞ୍ଚ ସଞ୍ଚାଳନା ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି, ଯାହାଦ୍ୱାରା ସ୍ଥାନୀୟ ସଞ୍ଚାଳକମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିପାରିବ। ଏହି ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏହାର ତାରିଖ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯିବ।

ad-week
Leave A Reply

Your email address will not be published.