
(ଉଦ୍ଧାର ଓ ରିଲିଫ୍ ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ)
(208 ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ, 16ଟି ସମ୍ଭାବ୍ୟ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର)
କୋରାପୁଟ : ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ଆଭାସୀ ମାଧ୍ୟମରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି, ଆଗୁଆ ସତର୍କତା ବ୍ୟବସ୍ଥା, ଜରୁରୀକାଳୀନ ସେବା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ଆଶ୍ରୟସ୍ଥଳୀର ପ୍ରସ୍ତୁତି ଏବଂ ଆବଶ୍ୟକୀୟ ଜୀବନରକ୍ଷାକାରୀ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରାଯାଇଥିଲା। ବିଶେଷକରି ସମ୍ଭାବ୍ୟ ଭୂସ୍ଖଳନ ପ୍ରବଣ 16ଟି ଅଞ୍ଚଳ ଓ ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଶ୍ରୟସ୍ଥଳୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇ ବୋରିଗୁମ୍ମା ବ୍ଲକ୍ରେ 32ଟି, ଜୟପୁର ବ୍ଲକ୍ରେ 113ଟି, କୋରାପୁଟ ବ୍ଲକ୍ରେ 12ଟି, ନାରାୟଣପାଟଣା ବ୍ଲକ୍ରେ 23ଟି ଏବଂ ବନ୍ଧୁଗାଁ ବ୍ଲକ୍ରେ 28ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ସୂଚନା ଦିଆଯାଇଥିଲା। ଏହି ପାଞ୍ଚଟି ବ୍ଲକ୍ରେ ମୋଟ 208ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ, ଔଷଧ, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଥିଲା।
କୁନ୍ଦ୍ରା ଓ କୋଟପାଡ଼ ଅଞ୍ଚଳରେ ଜନସାଧାରଣଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନ୍ୟ ବିପଦସଙ୍କୁଳ ଅଞ୍ଚଳରେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଥିଲା। ନାରାୟଣପାଟଣା ଓ ଲକ୍ଷ୍ମୀପୁରର ଭୂସ୍ଖଳନ ପ୍ରବଣ ଗ୍ରାମଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଆବଶ୍ୟକସ୍ଥଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି ।
ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଜେସିବି, ଟ୍ରାକ୍ଟର, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଯନ୍ତ୍ରପାତି ପ୍ରସ୍ତୁତ ରଖିବା, ରାସ୍ତାରେ ଗଛ ପଡ଼ିଲେ ତୁରନ୍ତ ହଟାଇବା ଏବଂ ରାସ୍ତା ଅବରୋଧ ଦୂର କରିବା ନିମନ୍ତେ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥିଲା। ଜୟପୁର, କୋରାପୁଟ, ସୁନାବେଡ଼ା ଓ କୋଟପାଡ଼ ପୌରାଞ୍ଚଳରେ ମଧ୍ୟ ଆବଶ୍ୟକୀୟ ଯାନବାହନ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରଖିବା ସହ ଡ୍ରେନ୍ ସଫେଇ ଓ ଗଛର ଡାଳ କାଟିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସ୍ୱାସ୍ଥ୍ୟ, ଯୋଗାଣ, ପାନୀୟ ଜଳ, ବିଦ୍ୟୁତ୍ ଓ ଅଗ୍ନିଶମ ବିଭାଗକୁ ନିଜ ନିଜ ଦାୟିତ୍ୱ ସମନ୍ୱୟର ସହ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳର ଅଧିକାରୀମାନେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କୁ ଆତଙ୍କିତ ନହୋଇ ପ୍ରଶାସନ ପକ୍ଷରୁ ଜାରି ସତର୍କତା ଓ ପରାମର୍ଶକୁ ପାଳନ କରିବା ସହ ଆବଶ୍ୟକ ସମୟରେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
