
କୋରାପୁଟ : ପ୍ରତିଭାର ପରିଚୟ ଭୌଗୋଳିକ ସୀମାରେ ସୀମାବଦ୍ଧ ନୁହେଁ। ନିଜର ସୃଜନଶୀଳତା, ମେଧା ଓ ଅଧ୍ୟବସାୟ ବଳରେ ରାଜ୍ୟସ୍ତରରେ କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଦୁଇ ପ୍ରତିଭାବାନ ଛାତ୍ରୀ ଅର୍ଚ୍ଚତା ମହୁରିଆ ଓ ସବିତା ମାଝୀ। ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଆୟୋଜିତ ସାହିତ୍ୟ ସୃଜନୀ ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗୁମୁଡାର ଦୁଇ ଛାତ୍ରୀ ରାଜ୍ୟସ୍ତରରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ସେମାନଙ୍କର ସୃଜନଶୀଳ ଉପସ୍ଥାପନା ଓ ସାହିତ୍ୟ ପ୍ରତି ଆଗ୍ରହ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମହଲରେ ଅନେକ ପ୍ରଶଂସା ସାଉଁଟିଛି।
ସେମାନଙ୍କର ସାଧନା, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଓ ନିଜସ୍ୱ ପ୍ରତିଭାର ସମନ୍ୱୟରେ ଏହି ସଫଳତା ହାସଲ କରି ଦୁଇଛାତ୍ରୀ କେବଳ ନିଜ ବିଦ୍ୟାଳୟ ନୁହେଁ, ସମଗ୍ର କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ଏହି ସଫଳତାରେ ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଉଭୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଦିନରେ ଆହୁରି ଉଚ୍ଚତର ସଫଳତା କାମନା କରାଯାଇଛି।
କୋରାପୁଟର ମାଟିରୁ ରାଜ୍ୟସ୍ତର ଯାଏଁ ପ୍ରତିଭାର ଏହି ଯାତ୍ରା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ll
