ଡିସେମ୍ବର ୮ରୁ ୮ମ ‘ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୬’ : ଆୟୋଜନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

kalipuja

​ଉଦଘାଟନ କରିବେ ବାଚସ୍ପତି ସୁରମା ପାଢ଼ୀ, ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇପାରନ୍ତି ରାଜ୍ୟପାଳ
​ନୟାଗଡ଼,୧୮/୧୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଠାରେ ଆସନ୍ତା ଡିସେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଗଣପର୍ବ ୮ମ ‘ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୬’। ସ୍ଥାନୀୟ ସିଟି ସ୍କୁଲ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଗା ସାଂସ୍କୃତିକ ମହାକୁମ୍ଭକୁ ସଫଳ କରିବା ପାଇଁ ରାଜସୁନାଖଳା ଦୁଧିଆଠାରେ ମହୋତ୍ସବ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
​ମହୋତ୍ସବ କମିଟିର ସଭାପତି ତଥା ରାଜସୁନାଖଳା ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ବସିଥିଲା l ଚଳିତ ବର୍ଷ ମହୋତ୍ସବ ୮ମ ବର୍ଷରେ ପଦାର୍ପଣ କରୁଥିବାରୁ ଏହାକୁ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଅଧିକ ବ୍ୟାପକ, ଆକର୍ଷଣୀୟ ଏବଂ ‘ସିନେ ଉତ୍ସବ ଶୈଳୀ’ରେ ନୂଆ ରୂପରେ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ତଥା ନୟାଗଡ଼ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଆଞ୍ଚଳିକ କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ରହିଛି l
​ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ସ୍ଥାନୀୟ ପ୍ରତିଭାଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାର, ସିନେ ତାରକା ଏବଂ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ l ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ମଞ୍ଚ ଯୋଗାଇ ଦେବା ପାଇଁ ଆସନ୍ତା ୨୨ ତାରିଖ ରବିବାର ଦିନ ଦୁଧିଆ କଲ୍ୟାଣୀ ମଣ୍ଡପ ଠାରେ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ମହୋତ୍ସବ ପୂର୍ବରୁ ସମସ୍ତ ପ୍ରତିଯୋଗିତା ଶେଷ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ମଞ୍ଚରେ ପୁରସ୍କୃତ କରାଯିବ l ସ୍ମରଣିକା “କାଉଁରୀ ” ପୁସ୍ତକ ପାଇଁ ସମସ୍ତେ ଲେଖା ଦେବାକୁ ଆହ୍ୱାନ କରାଯାଇଛି l

ଏହା ବ୍ୟତୀତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନା ବଜାର, ରାମ ଦୋଳି ସହ ଅଧିକ ସଂଖ୍ୟକ ଷ୍ଟଲ ଲଗାଯିବାକୁ ସ୍ଥିର ହୋଇଛି l ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନଙ୍କ ବ୍ୟବସାୟ ଓ ଆତ୍ମନିର୍ଭରଶୀଳତା ପାଇଁ ମହୋତ୍ସବ ପରିସରରେ ସ୍ୱତନ୍ତ୍ର ଷ୍ଟଲର ବ୍ୟବସ୍ଥା କରାଯାଉଛି l
​ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ରାଜ୍ୟର ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକମାନେ ଅତିଥି ଭାବେ ଯୋଗଦେବେ l ଚଳିତ ବର୍ଷ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି l ବିଗତ କିଛି ବର୍ଷ ଧରି ଓଡ଼ିଶାର ମହାମହିମ ରାଜ୍ୟପାଳ ଲଗାତାର ଭାବେ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ଖୁବ ସମ୍ଭବତଃ ସେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ନେଇ ପ୍ରସ୍ତୁତି ଚାଲିଥିବା କମିଟି ପକ୍ଷରୁ ସୂଚନା ମିଳିଛି l
​ଏହି ପ୍ରସ୍ତୁତି ବୈଠକରେ ମହୋତ୍ସବ କମିଟିର ଉପସଭାପତି ପ୍ରସନ୍ନ କୁମାର ପ୍ରଧାନ, ମନୋଜ କୁମାର ମହାପାତ୍ର, ଜିତେନ୍ଦ୍ର ସାହୁ, ଧର୍ମେନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ମିଶ୍ର, ସିଲୁ କାଳସୀ, ନିରଞ୍ଜନ ପ୍ରଧାନ, ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନ, ସନ୍ତୋଷ କୁମାର ପୃଷ୍ଟି, ସୁଶାନ୍ତ କୁମାର ନାୟକଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମହୋତ୍ସବର ସଫଳ ରୂପାୟନ ନେଇ ସୁଚିନ୍ତିତ ମତାମତ ରଖିଥିଲେ l ରାଜସୁନାଖଳା ମହୋତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l

ad-week
Leave A Reply

Your email address will not be published.