ବିଜ୍ଞାନ ପ୍ରଦର୍ଶନୀ ଓ କଳା-କାରିଗରୀ ମେଳା ଆୟୋଜିତ : ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ, ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ନିଆରା ପରିଚୟ

kalipuja

ନିଆଳିପାଲି/ ସୁନ୍ଦରଗଡ : ତାଙ୍ଗରପାଲି ବ୍ଲକ୍‌ ଅନ୍ତର୍ଗତ ଲବଣୀଧର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ପ୍ରଦର୍ଶନୀ ସହିତ କଳା ଓ କାରିଗରୀ ମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଲବଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ଯୋଷୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ତରୁଲତା କେର୍କେଟା ଯୋଗଦେଇଥିବା ବେଳେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଖଗେଶ୍ୱର ରଣା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସମୀର ଭୂଷଣ ନାଏକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଚାରକ ଭାବେ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ପିଙ୍କି ରାଉଡ଼ିଆ ଏବଂ ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟର ଶର୍ମେନ୍ଦ୍ର ସ୍ୱାଇଁ ଯୋଗଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।

ପ୍ରଦର୍ଶନୀରେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ମଡେଲ୍‌, ଶିକ୍ଷଣୀୟ ପ୍ରକଳ୍ପ ତଥା କଳା ଓ ହସ୍ତଶିଳ୍ପର ମନୋରମ ନମୁନା ସ୍ଥାନ ପାଇଥିଲା। ଛାତ୍ରଛାତ୍ରୀମାନେ ନିଜସ୍ୱ ଚିନ୍ତାଧାରା, ଜ୍ଞାନ, କଳ୍ପନାଶକ୍ତି ଓ ସୃଜନଶୀଳତାର ପରିଚୟ ଦେଇ ୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ। ଏହି ପ୍ରଦର୍ଶନୀ କେବଳ ପାଠ୍ୟପୁସ୍ତକର ଜ୍ଞାନକୁ ପ୍ରୟୋଗାତ୍ମକ ରୂପ ଦେବାର ସୁଯୋଗ ସୃଷ୍ଟି କରିନଥିଲା, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତନ, ଅନୁସନ୍ଧାନ ମନୋବୃତ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ଉତ୍କୃଷ୍ଟ ମଞ୍ଚ ପାଲଟିଥିଲା।

କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ କୁମୁଦିନୀ ତାଣ୍ଡିଆ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ। ଏଥିରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଉପସ୍ଥିତ ଅଭିଭାବକ , ସମ୍ମାନୀତ ଅତିଥି ଓ ମୁଖ୍ୟ ଅତିଥି ଏହି ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ପାଇଁ ନିକଟ ଅତୀତରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତାଙ୍କ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ।

ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତି ଜ୍ୟୋତ୍ସ୍ନା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆୟୋଜନ ବିଦ୍ୟାଳୟର ଶିକ୍ଷାଦାନ ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପ ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ରହିଥିବା ଆନ୍ତରିକ ପ୍ରତିବଦ୍ଧତାର ଏକ ସୁନ୍ଦର ପ୍ରତିଫଳନ ହୋଇଥିଲା। ଭବିଷ୍ୟତରେ ବିଦ୍ୟାଳୟର ଅନ୍ୟାନ୍ୟ ଦିଗରେ ଉନ୍ନତୀକରଣ ଓ ଶିକ୍ଷାର ଗୁଣବତ୍ତା ଦିଗରେ ବିଶେଷ ଧ୍ୟାନ ଦିଆଯିବ ଏବଂ ଏହି ପ୍ରଦର୍ଶନୀର କୃତୀ ଶିକ୍ଷାର୍ଥୀ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ଯୋଷୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.