
- ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାର ପ୍ରଚାର ପାଇଁ ସୋଲାର ରଥ ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ପରିକ୍ରମା କରିବ
ନବରଙ୍ଗପୁର //ବ୍ରହ୍ମପୁର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନକୁ ଅଧିକ ଲୋକପ୍ରିୟ କରିବା ଏବଂ ଏହା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାରେ ସୋଲାର ରଥ ଆରମ୍ଭ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ଏହି ସୋଲାର ରଥକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦ୍ଘାଟନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟିପିଏସ୍ଓଡିଏଲ୍ର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
ସୋଲାର ରଥ ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍—ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି, କୋଷାଗୁମୁଡ଼ା, ଡାବୁଗାଁ, ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି—ପରିକ୍ରମା କରିବ। ଗ୍ରାମ ପଞ୍ଚାୟତ, ସ୍ଥାନୀୟ ବଜାର ଓ ଗାଁଗୁଡ଼ିକରେ ପହଞ୍ଚି ଏହି ଅଭିଯାନ ମାଧ୍ୟମରେ ଗ୍ରାହକମାନଙ୍କୁ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁବିଧା, ଉପଲବ୍ଧ ସରକାରୀ ସବ୍ସିଡି ଏବଂ ସ୍ୱଚ୍ଛ ଶକ୍ତି ବ୍ୟବହାରର ଦୀର୍ଘମିଆଦୀ ଲାଭ ବିଷୟରେ ସଚେତନ କରାଯିବ।
ଜନସଚେତନତା ଅଭିଯାନକୁ ଆହୁରି ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଜିଙ୍ଗଲ୍ସ ପ୍ରସାରଣ ସହ ସୋଲାର ସାଙ୍ଗଙ୍କ ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ପ୍ରଚାର ପତ୍ର ବଣ୍ଟନ କରାଯିବ। ଏହାଦ୍ୱାରା ଜିଲ୍ଲାର ପ୍ରତ୍ୟେକ ଘରେ ଏହି ଯୋଜନା ସମ୍ପର୍କିତ ସୂଚନା ପହଞ୍ଚାଇବାକୁ ଉଦ୍ୟମ କରାଯିବ।
ଏହି ଅବସରରେ ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁବିଧା ଅଧିକରୁ ଅଧିକ ଘରକୁ ପହଞ୍ଚାଇବା, ବିଶେଷକରି ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ। ସୋଲାର ରଥ ଲୋକଙ୍କ ପାଖରେ ସିଧାସଳଖ ସଚେତନତା ପହଞ୍ଚାଇବା ଏବଂ ସୌରଶକ୍ତି ବ୍ୟବହାରର ଆର୍ଥିକ ଓ ପରିବେଶଗତ ଲାଭ ବିଷୟରେ ଗ୍ରାହକମାନଙ୍କୁ ବୁଝାଇବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନିରନ୍ତର ଜନସଚେତନତା ଓ ଗ୍ରାହକଙ୍କ ସହ ଯୋଗାଯୋଗ ମାଧ୍ୟମରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ସହ ଏକ ସ୍ୱଚ୍ଛ, ସବୁଜ ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟରେ ଆମେ ଯୋଗଦାନ କରିବାକୁ ଚାହୁଁଛୁ।”
ଏହି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଅଧିକ ସଚେତନତା ମାଧ୍ୟମରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଜାରି ରଖିଛି। ଏଥିସହ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ଶକ୍ତି ସମାଧାନର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ କମ୍ପାନୀ ଲକ୍ଷ୍ୟ ରଖିଛି।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣି, ଚିଫ୍ ଅପରେସନ, ଟିପିଏସ୍ଓଡିଏଲ୍; ଶ୍ରୀ ମନ୍ମଥ ନାଥ ମିଶ୍ର, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଜୋନାଲ୍ ହେଡ୍, ଜୟପୁର; ଶ୍ରୀ ଟି. ତପନରଶ୍ମି ସୁବୁଦ୍ଧି, ସର୍କଲ୍ ହେଡ୍, ଜୟପୁର ଏବଂ ନବରଙ୍ଗପୁର ଇଲେକ୍ଟ୍ରିକାଲ ଡିଭିଜନ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
