
ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେଲା ପୋଲିଓ ନିରାକରଣ ଅଭିଯାନ-୨୦୨୬ । ଭୁବନେଶ୍ୱର IRC ଭିଲେଜସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ଅଭିଯାନର ଶୁଭାରମ୍ଭ ହୋଇଛି । ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ନ୍ୟାସନାଲ ଇମ୍ୟୁନାଇଜେସନ କାର୍ଯ୍ୟକ୍ରମ ଅଧୀନରେ ଏହି ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆୟୋଜନ କରାଯାଇଛି ।
ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓର ଦୁଇ ବୁନ୍ଦା ଔଷଧ ଦିଆଯାଉଛି । ପୂର୍ବରୁ ନିୟମିତ ଟିକାକରଣରେ ପୋଲିଓ ଟିକା ନେଇଥିଲେ ମଧ୍ୟ ଏହି ଅଭିଯାନରେ ପୁଣି ଦୁଇ ବୁନ୍ଦା ଔଷଧ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ଡାକ୍ତରଖାନା, ସ୍କୁଲ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଟିକାକରଣ ବୁଥ୍ ଖୋଲାଯାଇଛି ।
ଆଜି କୌଣସି କାରଣରୁ ଶିଶୁ ବୁଥ୍ କୁ ଆସିପାରିନଥିଲେ ନଭେମ୍ବର ୨୩ ଓ ୨୪ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ । ୨୦୧୪ ମସିହାରେ WHO ପକ୍ଷରୁ ଭାରତକୁ ପୋଲିଓମୁକ୍ତ ଘୋଷଣା କରାଯାଇଥିବା ବେଳେ ୨୦୦୮ରୁ ଓଡ଼ିଶା ପୋଲିଓମୁକ୍ତ ରହିଛି ।
ତଥାପି ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ବିଶେଷକରି ଅନୁଗୁଳ ଓ ଝାରସୁଗୁଡ଼ା ସମେତ ସମ୍ବେଦନଶୀଳ ଅଞ୍ଚଳରେ ଟିକାକରଣ ଓ ସଚେତନତା ଉପରେ ଫୋକସ୍ କରାଯାଇଛି । ବସ୍ ଷ୍ଟାଣ୍ଡ ଓ ରେଳଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।
