
କନ୍ଧମାଳ : ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର। ପୁଣି ଖୋଲିଲା କଳିଙ୍ଗା ଘାଟି ରାସ୍ତା । ବାତ୍ୟା ‘ଆକଭାନ୍’ ପାଇଁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ଉପରେ ଲାଗିଥିବା ସାମୟିକ କଟକଣାକୁ ପ୍ରତ୍ୟାହାର କରିଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ପାଣିପାଗରେ ସୁଧାର ଆସିବା ସହ ରାସ୍ତାର ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।
କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏନେଇ ଆଜି ଏକ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ସହ ନଭେମ୍ବର ୧୮ ତାରିଖରେ ଜାରି ହୋଇଥିବା ପୂର୍ବ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି। ବାତ୍ୟା ‘ଅକଭାନ୍’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ ତାରିଖରୁ କଳିଙ୍ଗା ଘାଟି ଦେଇ ସମସ୍ତ ଶ୍ରେଣୀର ମୋଟରଯାନ ଚଳାଚଳ ଉପରେ ନିଷେଧାଦେଶ ଲାଗୁ କରାଯାଇଥିଲା।
ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ, ପଥର ଖସିବା ଏବଂ ଯାତାୟାତରେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏଭଳି ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଥିଲା। ଘାଟି ଖୋଲିବା ସହ ସେଠାରେ ଲଗାଯାଇଥିବା ବ୍ୟାରିକେଡ୍ ହଟାଇବା ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
