ଶ୍ରୀକ୍ଷେତ୍ରରେ ହେବ ପ୍ରଥମ ବାଲିଯାତ୍ରା, ନୂଆନଈ କୂଳରେ ଗୁଞ୍ଜରିତ ହେବ ବୋଇତ ବନ୍ଦାଣର ସ୍ୱର

kalipuja

ପୁରୀ: ଶ୍ରୀକ୍ଷେତ୍ରରେ ଏଣିକି ଗୁଞ୍ଜରିବ ବୋଇତ ବନ୍ଦାଣର ସ୍ୱର। ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ସହ ଗ୍ରାମାଞ୍ଚଳରେ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପୁରୀରେ ପ୍ରଥମଥର ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା। ନୂଆନଈ ନଦୀକୂଳରେ ନଭେମ୍ବର ୨୩ ଓ ୨୪ ତାରିଖରେ ଦୁଇଦିନ ଧରି ଆୟୋଜିତ ହେବ ଏହି ନିଆରା ମହୋତ୍ସବ। ଏହାର ନାଁ ରଖାଯାଇଛି ‘ନୂଆନଈ ବାଲିଯାତ୍ରା’।

ପୁରୀ ସଦର ବ୍ଲକ୍‌ ଅନ୍ତର୍ଗତ ମା’ ତ୍ରିପୁରା ମୋହିନୀ ମନ୍ଦିର ନିକଟ ନୂଆନଈ ନଦୀକୂଳରେ ଏହି ଉତ୍ସବ ଆୟୋଜନ କରାଯିବ। ନୂଆନଈ ବାଲିଯାତ୍ରା କମିଟି ପକ୍ଷରୁ ତିନୋଟି ପଞ୍ଚାୟତର ସହଯୋଗରେ ଏହାର ଆୟୋଜନ ହେଉଛି। ଏଥିରେ ବାଲିଗୁଆଳି, ବେଲଦଳା ଓ ସମଙ୍ଗ ପଞ୍ଚାୟତ ସାମିଲ ହୋଇଛନ୍ତି। ଆୟୋଜକ କମିଟି ପକ୍ଷରୁ ପୁରୀରେ ରବିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ ସମ୍ପର୍କରେ ସୂଚନା ଦିଆଯାଇଛି। ଦୁଇଦିନିଆ ଏହି ମହୋତ୍ସବରେ ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ।

ନଭେମ୍ବର ୨୩ ତାରିଖ ସନ୍ଧ୍ୟାରେ ଅର୍ଥାତ୍ ଆଜି ଉତ୍ସବର ଶୁଭାରମ୍ଭ ହେବ। ଏହି ଅବସରରେ ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ ସହ ଭଜନ ସନ୍ଧ୍ୟା ଓ ବିଭିନ୍ନ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ନଭେମ୍ବର ୨୪ ତାରିଖ ସକାଳ ୭ଟାରେ ଅନୁଷ୍ଠିତ ହେବ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ। ଏଥିରେ ପାରମ୍ପରିକ ରୀତିନୀତି ଅନୁସାରେ କ୍ଷୁଦ୍ର ବୋଇତ ପୂଜା କରାଯିବ। ଏହା ମାଧ୍ୟମରେ ପ୍ରାଚୀନ କାଳରେ ସମୁଦ୍ର ପଥରେ ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିବା ଓଡ଼ିଆ ସାଧବମାନଙ୍କ ସ୍ମୃତିକୁ ମନେ ପକାଯିବ।

କହିରଖୁଛୁ, ଶ୍ରୀକ୍ଷେତ୍ର ପୁରୀରେ ବର୍ଷସାରା ଅନେକ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ପାଳନ ହେଉଥିଲେ ମଧ୍ୟ ଏଠାରେ ବାଲିଯାତ୍ରା ଆୟୋଜନର ପରମ୍ପରା ନଥିଲା। ମା’ ତ୍ରିପୁରା ମୋହିନୀଙ୍କ ଆଶୀର୍ବାଦରେ ଏହି ନୂତନ ପ୍ରୟାସ ଆରମ୍ଭ କରାଯାଉଥିବା ଆୟୋଜକମାନେ କହିଛନ୍ତି। ଏହି ଆୟୋଜନ କେବଳ ଏକ ଉତ୍ସବରେ ସୀମିତ ନରହି ଗ୍ରାମାଞ୍ଚଳରେ ସାମାଜିକ ସଦ୍‌ଭାବ ଓ ଭାଇଚାରା ବଢ଼ାଇବା ସହ ଯୁବପିଢ଼ିଙ୍କୁ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ ସହ ପରିଚିତ କରାଇବ ବୋଲି କମିଟି ଆଶା ପ୍ରକାଶ କରିଛି।

ad-week
Leave A Reply

Your email address will not be published.