୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର, ଘରୁ ବାହାରିଲା ୧.୧୨ କୋଟି

add-all

ଭୁବନେଶ୍ୱର : ଲାଞ୍ଚ ନେଇ ଆଜି ଗିରଫ ହୋଇଥିବା ଜଣେ ଡାକ୍ତରଙ୍କ ଘରୁ ବାହାରିଛି ୧ କୋଟି ୧୨ ଲକ୍ଷ ଟଙ୍କା। ଏହି ଡାକ୍ତରଙ୍କ ନାଁ ସୁକାନ୍ତ ଜେନା। ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର। ସେ ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ହୋଇଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇ ଦେବା ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଡାକ୍ତର ଜେନା ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହା ପରେ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ବାହାରିଥିଲା।
ଡାକ୍ତରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଓ ଖାନତଲାସୀ କରାଯାଉଛି । ନିକଟ ଅତୀତରେ ଏହା ଭିଜିଲାନ୍ସ ଦ୍ୱାରା ଜବତ ହୋଇଥିବା ସର୍ବାଧିକ ପରିମାଣର ନଗଦ । ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଏଯାବତ୍ ୩୧ଟି ଆୟବର୍ହିଭୂତ ମାମଲା ରୁଜୁ କରାଯାଇ ସେଥିରେ ୨୩ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏଥିରେ ୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ ରହିଛନ୍ତି ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି କଟକରେ ଅବସ୍ଥାପିତ ପୁଲିସ୍ କମ୍ୟୁନିକେସନ୍ ଏଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କର ୧୧ କୋଟିରୁ ଅଧିକ ସଂପତ୍ତି ଠାବ କରାଯାଇଥିବା ବେଳେ ସେଥିରୁ ୮ କୋଟିର ଅଧିକ ଆୟ ବର୍ହିଭୂତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.