ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

add-all

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ରାଜ୍ୟର କିଛି ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖାଯାଇଛି। ଏହାରି ମଧ୍ୟରେ ରାଜ୍ୟରେ ପାଖାପାଖି ୭୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ୍‌ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟର ମୋଟ୍‌ ୭୦ ପ୍ରତିଶତ ମତଦାନ ହୋଇଛି।
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକର ତୁଣ୍ଡାମେଲା ଗ୍ରାମପଞ୍ଚାତର ୧୧ ନମ୍ବର ଓ୍ଵାର୍ଡରେ ବିଶେଷ କାରଣରୁ ନିର୍ବାଚନ ହୋଇ ପାରିନାହିଁ। ଆଜି ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ୍‌ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିସନ ଗମ୍ଭିରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ପାଢ଼ି କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ, ଯାଜପୁର ଜିଲ୍ଲାର ୭ଟି ବୁଥ ଏବଂ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିିସନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ad-week
Leave A Reply

Your email address will not be published.