ତୁର୍କୀରେ ମିଲିଟାରୀ ହେଲିକପ୍ଟର କ୍ରାସ୍, ୫ ଯବାନ ମୃତ

kalipuja

ତୁର୍କୀ: ତୁର୍କୀରେ ସାମରିକ ହେଲିକପ୍ଟର ଦୁର୍ଘଟଣା ଲଗାତାର ଭାବେ ଲାଗି ରହିଛି । ମଙ୍ଗଳବାର ଦିନ ଟ୍ରେନିଂ ସମୟରେ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ନିଶ୍ଚିତ କରିଛି । ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ସାମରିକ ହେଲିକପ୍ଟର ଦୁର୍ଘଟଣା । ଯେଉଁଥିରେ ସୈନିକଙ୍କ ଜୀବନ ଯାଇଛି ।

ସୂଚନାନୁଯାୟୀ, ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଟ୍ରେନିଂ ଉଡ଼ାଣ ସମୟରେ ବାୟୁସେନାର ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ପାଞ୍ଚ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ ମୃତ ସୈନିକମାନଙ୍କୁ ଦେଶର ସାହସୀ ଯବାନ ବୋଲି କହିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି AS-532 Cougar ମଡେଲର ଥିଲା  । ଯାହା ତୁର୍କୀ ବାୟୁସେନାରେ ସାମିଲ ଥିଲା । ଏହା ଫ୍ରାନ୍ସରେ ନିର୍ମିତ ଏକ ସାମରିକ ହେଲିକପ୍ଟର । ଏହାର ବ୍ୟବହାର ମୁଖ୍ୟତଃ ସୈନିକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ କରାଯାଇଥାଏ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦୁର୍ଘଟଣା ପରେ ହେଲିକପ୍ଟରର ଭଗ୍ନାବଶେଷ ଠାବ କରାଯାଇଛି । ଏହା ସହିତ ଉଦ୍ଧାର ଓ ସନ୍ଧାନ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ଟେଲିଭିଜନରେ ପ୍ରସାରିତ ଦୃଶ୍ୟରେ ଇସ୍ତାନବୁଲର ପୂର୍ବ ଦିଗରେ ଥିବା ଏସ୍କିଶେହିର ସହର ନିକଟ ଏକ ବଡ଼ ଖୋଲା ପଡ଼ିଆରେ ଉଦ୍ଧାରକାରୀ ଦଳର ଗାଡ଼ିଗୁଡ଼ିକ ଦେଖିବାକୁ ମିଳିଛି ।

ଅନ୍ୟପଟେ ତୁର୍କୀରେ ଏହି ଦୁର୍ଘଟଣା ଏପରି ଏକ ସମୟରେ ଘଟିଛି, ଯେତେବେଳେ ମାତ୍ର ୧୨ ଦିନ ପୂର୍ବରୁ ଆଉ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନଭେମ୍ବର ୧୨ ତାରିଖରେ ଦେଶର ପୂର୍ବାଞ୍ଚଳରେ ଏକ S-70 ହେଲିକପ୍ଟର କ୍ରାସ୍ ହୋଇଥିଲା । ସେହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଚାରି ଜଣ ସାମରିକ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ସେହି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏ ସମ୍ପର୍କରେ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମଧ୍ୟ ଜାରି କରିନାହାନ୍ତି ।

ad-week
Leave A Reply

Your email address will not be published.