
ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍ ବୃଦ୍ଧି କରିବା ଯୋଜନା ଘୋଷଣା କରିପାରନ୍ତି। ଚୀନ୍ ଏବଂ ୟୁରୋପୀୟ ସଂଘ (EU) ସମେତ ୧୬ଟି ଦେଶ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରୁଛି ଟ୍ରମ୍ପ ପ୍ରଶାସନ । ଆଗାମୀ କିଛି ଦିନ ମଧ୍ୟରେ ଏନେଇ ବଡ଼ ଘୋଷଣା ହୋଇପାରେ । ଏହି ଖବର ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ବାଣିଜ୍ୟ ମହଲରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (USTR) ଏହି ୧୬ଟି ଦେଶରେ ଶିଳ୍ପ କ୍ଷେତ୍ରକୁ ଦିଆଯାଉଥିବା ସରକାରୀ ସବ୍ସିଡି ଉପରେ ଦୀର୍ଘ ମାସ ଧରି ତଦନ୍ତ କରୁଥିଲା । ଖୁବଶୀଘ୍ର ଏହାର ରିପୋର୍ଟ ପ୍ରକାଶ ପାଇପାରେ । ଏହି ଦେଶଗୁଡ଼ିକରେ ସରକାରୀ ସବ୍ସିଡି ଯୋଗୁଁ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ ହେଉଛି ବୋଲି ଆମେରିକାର ଅଭିଯୋଗ । ଫଳରେ ଶସ୍ତା ସାମଗ୍ରୀରେ ବଜାର ଭରିଯାଉଛି ଏବଂ ଆମେରିକୀୟ କମ୍ପାନୀଗୁଡ଼ିକ କ୍ଷତି ସହୁଛନ୍ତି । ତେବେ ଏହି ଟାରିଫ୍ ଯୋଜନା ପଛରେ ଆଉ ଏକ ବଡ଼ କାରଣ ରହିଛି । ଗତ ଫେବୃଆରୀରେ ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ବ୍ୟାପକ ‘ରେସିପ୍ରୋକାଲ୍ ଟାରିଫ୍’କୁ ରଦ୍ଦ କରିଦେଇଥିଲେ । ଏହାପରେ ନୂଆ ଆଇନଗତ ଆଧାରରେ ଶୁଳ୍କ ଲାଗୁ କରିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି ।
ଅନ୍ୟପଟେ ଏହା ପୂର୍ବରୁ ଜୁଲାଇ ମାସରେ ଆମେରିକା ୬୦ଟି ବାଣିଜ୍ୟିକ ସହଯୋଗୀ ଦେଶ ଉପରେ ୧୦ରୁ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଥିଲା । ବାଧ୍ୟତାମୂଳକ ଶ୍ରମରେ ତିଆରି ସାମଗ୍ରୀ ଉପରେ ଥିବା କଟକଣାକୁ ଏହି ଦେଶଗୁଡ଼ିକ ଠିକ୍ ଭାବେ ଲାଗୁ କରିନଥିବା ଆମେରିକା ଅଭିଯୋଗ କରିଥିଲା । ତେବେ ନୂଆ ଟାରିଫ୍ର ପରିମାଣ କେତେ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୂର୍ବରୁ ଲାଗୁ ହୋଇଥିବା ୧୦ରୁ ୧୨.୫ ପ୍ରତିଶତ ଟାରିଫ୍ ସହିତ ଏହା ଅତିରିକ୍ତ ଭାବେ ଲାଗୁ ହୋଇପାରେ ବୋଲି ଆକଳନ କରାଯାଉଛି । ଚୀନ୍ ସମେତ ଅନେକ ଦେଶ ଏହି ଶୁଳ୍କକୁ ପୂର୍ବରୁ ବିରୋଧ କରିଆସୁଛନ୍ତି ।
