ତିରୁପତି ମନ୍ଦିରରେ ୧୨୧ କିଲୋ ସୁନା ଅଳଙ୍କାର ଚଢ଼ାଇଲେ ଚେନ୍ନାଇ ଦମ୍ପତି

kalipuja

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ତିରୁପତି ମନ୍ଦିରରେ ଚେନ୍ନାଇର ଜଣେ ଭକ୍ତ ଗୁରୁବାର ଦିନ ୧୨୧ କିଲୋ ସୁନା ଓ ହୀରା ଖଚିତ ଅଳଙ୍କାର ଦାନ କରିଛନ୍ତି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦୮ କୋଟି ଟଙ୍କା ହେବ । ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ ଏବଂ ତାଙ୍କ ପତ୍ନୀ ରାଧିକା ଜୈନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଏହି ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ତିରୁମାଲା ତିରୁପତି ଦେବସ୍ଥାନମ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଟିଟିଡି ସୂଚନା ଅନୁଯାୟୀ, ତିରୁପତି ମନ୍ଦିର ଇତିହାସରେ କୌଣସି ଜଣେ ଭକ୍ତଙ୍କ ପକ୍ଷରୁ ଏହା ସବୁଠାରୁ ବଡ଼ ଦାନ । ୮ଟି ବାକ୍ସରେ ଅଣାଯାଇଥିବା ଏହି ଦାନରେ ୯ଟି ସେଟ୍‌ରେ ମୋଟ୍ ୪୫ ପ୍ରକାରର ଗହଣା ଏବଂ ୨୩୮.୨ କ୍ୟାରେଟ୍‌ର ହୀରା ସାମିଲ ରହିଛି । ଏହି ଅଳଙ୍କାରଗୁଡ଼ିକୁ ତିଆରି କରିବା ପାଇଁ ପ୍ରାୟ ୧୫ ମାସ ସମୟ ଲାଗିଥିଲା । ଏଥିରେ ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ମୁକୁଟ, ବାଘ ନଖ, ବିଭିନ୍ନ ପ୍ରକାରର ହାର ଏବଂ ପାଦ ଅଳଙ୍କାର ସମେତ ୧୦୬ କିଲୋ ସୁନା ଗହଣା ରହିଥିବା ବେଳେ ଦେବୀ ଶ୍ରୀ ପଦ୍ମାବତୀ ଅମ୍ମାଭାରୁଙ୍କ ପାଇଁ ୧୫ କିଲୋ ଓଜନର ଅଳଙ୍କାର ଓ ପୋଷାକ ଭେଟି ଦିଆଯାଇଛି ।

ଚେନ୍ନାଇସ୍ଥିତ ‘ଭାରା ଫ୍ୟୁଚର ଏଲ୍ଏଲ୍‌ପି’ର ଅଧ୍ୟକ୍ଷ ବର୍ଦ୍ଧମାନ ଜୈନ ନିଜ କମ୍ପାନୀର ୬୦ ପ୍ରତିଶତ ଅଂଶଧନ ୬,୦୦୦ କୋଟି ଟଙ୍କାରେ ବିକ୍ରି କରିଥିଲେ । ସେହି ଅର୍ଥରୁ ସେ ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଅଳଙ୍କାର ପ୍ରସ୍ତୁତ କରାଇ ଦାନ କରିଛନ୍ତି । ୨୦୧୯ ମସିହାରୁ ବର୍ଦ୍ଧମାନ ଜୈନ ନିୟମିତ ଭାବେ ତିରୁପତି ମନ୍ଦିରକୁ ଦାନ କରିଆସୁଛନ୍ତି । ନଭେମ୍ବର ୨୦୨୪ରେ ସେ ଟିଟିଡିର ‘ଅନ୍ନ ପ୍ରସାଦମ୍ ଟ୍ରଷ୍ଟ’ ଏବଂ ‘ପ୍ରାଣଦାନମ୍ ଟ୍ରଷ୍ଟ’କୁ ୧.୦୧ କୋଟି ଟଙ୍କା ଲେଖାଏଁ ଦାନ କରିଥିଲେ । ସେହିପରି ୨୦୨୫ରେ ଏସ୍‌ଭି ଭକ୍ତି ଚ୍ୟାନେଲ୍‌କୁ ୫ କୋଟି ଓ ଗୋ-ସଂରକ୍ଷଣ ପାଇଁ ୧ କୋଟି ଟଙ୍କା ଦେଇଥିବା ବେଳେ ମେ ୨୦୨୬ରେ ତିରୁପତି ପାଇଁ ଏକ ଇଲେକ୍ଟ୍ରିକ୍ ବସ୍ ଦାନ କରିବାକୁ ଘୋଷଣା କରିଥିଲେ ।

ad-week
Leave A Reply

Your email address will not be published.