ପରିବାର ୬ ଜଣଙ୍କୁ କେନାଲକୁ ଫିଙ୍ଗିଦେଲେ, ବାପା, ମା’, ଝିଅ ମୃତ, ୨ ଶିଶୁପୁତ୍ର ନିଖୋଜ

kalipuja

ସୁରଟ : ଗୁଜରାଟ ସୁରଟ ଜିଲ୍ଲା ବାରଡୋଲି ତାଲୁକାର ଉୱା ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । କାମ ଅନ୍ୱେଷଣରେ ଏଠାକୁ ଆସିଥିବା ଏକ ଶ୍ରମିକ ପରିବାରର କାର୍‌କୁ ଅଟକାଇ ଏହାର ସଦସ୍ୟମାନଙ୍କୁ ଜୋରଜବରଦସ୍ତି କେନାଲକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଏକ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଶିଶୁ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ଶିଶୁଙ୍କ ସନ୍ଧାନରେ ପୁଲିସ ଓ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲା ଏରଣ୍ଡୋଲ ତାଲୁକାର ବାସିନ୍ଦା ନିତିନ ଓରଫ ଭୁରିଆ ପାଟିଲ ଏବଂ ତାଙ୍କ ସ୍ତ୍ରୀ କବିତା ପାଟିଲ ନିଜ ୪ ସନ୍ତାନଙ୍କୁ ଧରି କାମଧନ୍ଦା ଅନ୍ୱେଷଣରେ ଏକ ଚାରିଚକିଆ ଗାଡ଼ିରେ ସୁରଟ ଯାଉଥିଲେ। ଏହି ସମୟରେ ଉୱା ଗାଁ ନିକଟରେ ଅନ୍ୟ ଏକ କାର୍‌ରେ ଆସିଥିବା ୪ ଜଣ ବ୍ୟକ୍ତି ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ପରିବାରର ସଦସ୍ୟମାନଙ୍କୁ ଜୋରଜବରଦସ୍ତି କେନାଲର ଗଭୀର ପାଣିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ନିତିନ, କବିତା ଓ ସେମାନଙ୍କ ଏକ ଛୋଟ ଝିଅର ମୃତ୍ୟୁ ଘଟିଛି । ମହୁୱା ତାଲୁକାର ଡୁଙ୍ଗରୀ ଅଞ୍ଚଳର ଏକ କେନାଲରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ପରିବାରର ଦୁଇ ଶିଶୁ ପ୍ରଥମେଶ ଓ ହରିଶ ଏବେ ବି ନିଖୋଜ ଅଛନ୍ତି।

ବଞ୍ଚିଗଲା ୧୩ ବର୍ଷର ନାବାଳକ..!
ଘଟଣା ସମୟରେ ପରିବାରର ଜଣେ ୧୩ ବର୍ଷୀୟ ନାବାଳକ କେନାଲ ଭିତରେ ଥିବା ଏକ ପାଇପ୍‌କୁ ଧରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା। କୌଣସି ପ୍ରକାରେ ସେ କେନାଲରୁ ବାହାରି ନିକଟସ୍ଥ ଏକ ହୋଟେଲରେ ପହଞ୍ଚିଥିଲା। ସେଠାରେ ଲୋକଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲା। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ଏହି ଘଟଣାକୁ ନେଇ ସୁରଟ ଜିଲ୍ଲାର ବାରଡୋଲି ଗ୍ରାମୀଣ ଥାନାରେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଖୋଜିବା ଏବଂ ଘଟଣାର ତଦନ୍ତ ପାଇଁ ପୁଲିସର ୮ଟି ଭିନ୍ନ ଭିନ୍ନ ଟିମ୍ ଗଠନ କରାଯାଇଛି। ତେବେ ପରିବାରକୁ କେନାଲକୁ ଫିଙ୍ଗିବା ପଛରେ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜଳଗାଓଁ ପୁଲିସ ମଧ୍ୟ ସୁରଟ ଗ୍ରାମୀଣ ପୁଲିସ ସହ ଯୋଗାଯୋଗରେ ରହିଛି। ମୃତ ପାଟିଲ ପରିବାରର ଘର ଜଳଗାଓଁ ସହରର ଖଣ୍ଡେରାଓ ନଗର ଅଞ୍ଚଳରେ ଥିବା ଜଣାପଡ଼ିଛି। ଏହି ପରିବାର ସଦସ୍ୟମାନେ କାମ ଅନ୍ୱେଷଣରେ ଗୁଜରାଟ ଯାଉଥିଲେ। କିନ୍ତୁ ରାସ୍ତାରେ ହିଁ ସେମାନଙ୍କ ସହ ଏଭଳି ଦୁଃଖଦ ଘଟଣା ଘଟିଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.