
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩୦ ତାରିଖରେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୪ ଦିନ ଯାଏ ଚାଲିବ ଓ ଡିସେମ୍ବର ୩ ତାରିଖରେ ପରିସମାପ୍ତି ହେବ । ଅନୁରୂପ ଭାବେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଡିସେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଏ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଅନୁରୋଧ କରାଯାଇଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । ଲୋକସଭ ଅଧିବେଶନ ୪ ଦିନ ଏବଂ ରାଜ୍ୟସଭା ଅଧିବେଶନ ୨ ଦିନ ଚାଲିବା ପରେ ଡିସେମ୍ବର ୩ ତାରିଖରେ ଉଭୟ ସଦନର ଅଧିବେଶନ ଶେଷ ହେବ ବୋଲି ଶ୍ରୀ ରିଜିଜୁ କହିଛନ୍ତି । ଏହି ସମୟରେ ଡିଲିମିଟେସନ ବିଲ୍ ଓ ଆସନ୍ତା ୨୦୨୯ ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ଆରକ୍ଷଣ ନିମନ୍ତେ ସମ୍ବିଧାନ ସଂଶୋଧନ ବିଲ୍ ସରକାର ଉପସ୍ଥାପିତ କରିପାରନ୍ତି ବୋଲି ଆଲୋଚନା ହେଉଛି । ବିଧି ଅନୁସାରେ ସଂସଦର ସ୍ୱତନ୍ତ୍ର ଅଧିବିଶେନ ଡାକିବାକୁ ହେଲେ ଏହାର ୩ ଦିନ ପୂର୍ବରୁ ଏ ସଂକ୍ରାନ୍ତୀୟ ନୋଟିସ ଜାରି କରିବାକୁ ପଡିଥାଏ ।
