
ଆମେରିକା: ଆମେରିକାରେ ‘ଥ୍ୟାଙ୍କସଗିଭିଂ ଡେ’ ଅବସରର ଛୁଟିଦିନ ମଧ୍ୟରେ ଭୟଙ୍କର ଝଡ଼ ତୋଫାନ ତାଣ୍ଡବ ରଚିଛି । ଯାହାର ସବୁଠାରୁ ଅଧିକ ପ୍ରଭାବ ବିମାନ ଚଳାଚଳ ଓ ବିଦ୍ୟୁତ୍ ଯୋଗାଣ ଉପରେ ପଡ଼ିଛି । ପ୍ରାୟ ୧୮୦୦ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବାବେଳେ ଲକ୍ଷ ଲକ୍ଷ ଘରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିଯାଇଛି ।
ବିମାନ ଟ୍ରାକିଂ ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ସୁଦ୍ଧା ୪୧୭ଟି ବିମାନ ଉଡ଼ାଣ ବାତିଲ ହୋଇଥିବାବେଳେ ପ୍ରାୟ ୧୮୦୦ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ୱାଶିଂଟନ୍ ଓ ନ୍ୟୁୟର୍କର ବିମାନବନ୍ଦରଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ୮ ଲକ୍ଷରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଥିଲା । ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା । ଉପକୂଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏହା ସହିତ ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଝଡ଼ ସମୟରେ ବିଭିନ୍ନ ରାଜ୍ୟରେ ଘଣ୍ଟାପ୍ରତି ୭୦ ମାଇଲ୍ ଅର୍ଥାତ୍ ୧୧୨ କିଲୋମିଟର ବେଗରେ ପବନ ବହିଥିଲା । ଏହାରି ମଧ୍ୟରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ତାର ଛିଣ୍ଡିପାରେ ବୋଲି ବିଦ୍ୟୁତ୍ କମ୍ପାନୀ ଓ ରାଜ୍ୟ ପ୍ରଶାସନର ଅଧିକାରୀମାନେ ପୂର୍ବରୁ ଚେତାବନୀ ଦେଇଥିଲେ । ଫଳରେ ବ୍ୟାପକ ଭାବେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିଲା । ଏଥିସହ ଆମେରିକାର ଜାତୀୟ ପାଣିପାଗ ସେବା (ନ୍ୟାସନାଲ୍ ୱେଦର୍ ସର୍ଭିସ୍) ଅନୁଯାୟୀ, ଭର୍ଜିନିଆ, ମେରିଲ୍ୟାଣ୍ଡ, ଡେଲାୱେର୍, ନ୍ୟୁଜର୍ସି, ନ୍ୟୁୟର୍କ ଏବଂ ନ୍ୟୁ ଇଂଲଣ୍ଡର କେତେକ ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୭୦ ମାଇଲ୍ ବେଗରେ ପବନ ବହିଥିଲା । ଏହି ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସହରର ପ୍ରସିଦ୍ଧ ‘ମେସିଜ୍ ଥ୍ୟାଙ୍କସଗିଭିଂ ଡେ ପରେଡ୍’ ର ୧୦୦ତମ ଆୟୋଜନକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା । ଗୁରୁତର ପାଣିପାଗ ପରିସ୍ଥିତି ଯୋଗୁଁ ଏହି ବାର୍ଷିକ ପରେଡ୍ର ତାରିଖ ପରିବର୍ତ୍ତନ କରିବା ଥିଲା ପ୍ରଥମ ଘଟଣା ।
ସୂଚନାଯୋଗ୍ୟ, ଆମେରିକାରେ ପ୍ରତିବର୍ଷ ନଭେମ୍ବର ମାସର ଚତୁର୍ଥ ଗୁରୁବାର ଦିନ ‘ଥ୍ୟାଙ୍କସଗିଭିଂ ଡେ’ ପାଳନ କରାଯାଏ । ଯାହାର ଅର୍ଥ ହେଉଛି ‘କୃତଜ୍ଞତା ଜଣାଇବା’। ଏହି ଦିନଟି ପରିବାର, ବନ୍ଧୁବାନ୍ଧବ ଓ ଜୀବନର ସୁଖଦ ମୁହୂର୍ତ୍ତଗୁଡ଼ିକ ପାଇଁ ଧନ୍ୟବାଦ ଜଣାଇବାର ଏକ ବିଶେଷ ଅବସର ହୋଇଥାଏ ।
