ଚୀନ୍ ସହାୟତାରେ ମହାକାଶରେ ଶକ୍ତି ବଢ଼ାଉଛି ପାକିସ୍ତାନ, ସତର୍କ ସୂଚନା ଦେଲେ ସିଡିଏସ୍

kalipuja

ନୂଆଦିଲ୍ଲୀ: ଚୀନ୍ ସହାୟତାରେ ମହାକାଶରେ ଶକ୍ତି ବଢ଼ାଉଛି ପାକିସ୍ତାନ । ସତର୍କ କରାଇଲେ ସିଡିଏସ୍ । ୫୨ ସାମରିକ ଉପଗ୍ରହ ଉତ୍ କ୍ଷେପଣ କରିବ ଭାରତ । ସ୍ଥଳ, ଜଳ ଓ ଆକାଶ ପରେ ଏବେ ମହାକାଶରେ ବି ବଢ଼ୁଛି ସାମରିକ ପ୍ରତିଦ୍ୱନ୍ଦ୍ୱିତା । ଚୀନ୍ ସହାୟତାରେ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି ପାକିସ୍ତାନ। ଏ କ୍ଷେତ୍ରରେ ତୁର୍କୀର ସହଯୋଗ ମଧ୍ୟ ପାକିସ୍ତାନକୁ ମିଳିପାରେ । ଏହି ପରିବର୍ତ୍ତିତ ସୁରକ୍ଷା ସମୀକରଣକୁ ନେଇ ସତର୍କ କରାଇଛନ୍ତି ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍ ) ଜେନେରାଲ ଏନ୍ ଏସ୍ ରାଜା ସୁବ୍ରମଣି। ଶୁକ୍ରବାର ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ରେ ମଲ୍ଟି-ଡୋମେନ୍ ଅପରେସନ୍ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ସିଡିଏସ୍ କହିଛନ୍ତି, ଚୀନ୍ ସହାୟତାରେ ପାକିସ୍ତାନର ମହାକାଶ କ୍ଷମତା ବୃଦ୍ଧି ପାଉଛି। ପାକିସ୍ତାନର ମହାକାଶ ଗବେଷଣା ସଂସ୍ଥା ‘ସୁପାର୍କୋ’ ମଧ୍ୟ ନିଜସ୍ୱ କ୍ଷମତା ବିକାଶ ପାଇଁ କାର୍ଯ୍ୟ କରୁଛି ।

ଏ କ୍ଷେତ୍ରରେ ତୁର୍କୀ ମଧ୍ୟ ପାକିସ୍ତାନକୁ ସହାୟତା କରିବ ବୋଲି ଧରିନେବାକୁ ପଡ଼ିବ। ଭାରତର ସୁରକ୍ଷା ଓ ସାମରିକ ରଣନୀତି ପ୍ରସ୍ତୁତି ବେଳେ ଏହି ଦିଗକୁ ଗୁରୁତ୍ୱ ଦେବାକୁ ହେବ। ମହାକାଶ କ୍ଷେତ୍ରରେ ଭାରତର କ୍ଷମତା ବୃଦ୍ଧି ନେଇ ମଧ୍ୟ ବଡ଼ ସୂଚନା ଦେଇଛନ୍ତି ସିଡିଏସ୍ । ସ୍ପେସ୍ ବେସ୍ ଡ ସର୍ଭେଲାନ୍ସ (ଏସ୍ ବିଏସ୍ ) ମିଶନର ତୃତୀୟ ପର୍ଯ୍ୟାୟ ଭାରତର ମହାକାଶ ନଜରଦାରି କ୍ଷମତାକୁ ବହୁଗୁଣିତ କରିବ। ଏହି ମିଶନ ଅଧୀନରେ ଆସନ୍ତା ତିନି ବର୍ଷ ମଧ୍ୟରେ ୫୨ଟି ସ୍ୱତନ୍ତ୍ର ସାମରିକ ଉପଗ୍ରହ ମହାକାଶକୁ ପଠାଇବା ପାଇଁ ଭାରତ ଯୋଜନା କରିଛି ।

୨୦୨୪ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲା। ହେଡ୍ କ୍ୱାର୍ଟର୍ସ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ଅଧୀନରେ ଥିବା ଡିଫେନ୍ସ ସ୍ପେସ୍ ଏଜେନ୍ସି ଏହି ପ୍ରକଳ୍ପର ନେତୃତ୍ୱ ନେଉଛି। ପ୍ରକଳ୍ପ ପାଇଁ ୨୬ ହଜାର ୯୬୮ କୋଟି ଟଙ୍କା ବ୍ୟୟ ହେବ । ମୋଟ ୫୨ଟି ଉପଗ୍ରହ ମଧ୍ୟରୁ ୨୧ଟିର ନିର୍ମାଣ ଓ ଉତ୍ କ୍ଷେପଣ ଦାୟିତ୍ୱ ଇସ୍ରୋ ନେବ। ଅବଶିଷ୍ଟ ୩୧ଟି ଉପଗ୍ରହ ପାଇଁ ଘରୋଇ କମ୍ପାନିଗୁଡ଼ିକୁ ଦାୟିତ୍ୱ ଦିଆଯିବ । ଆଧୁନିକ ଯୁଦ୍ଧରେ ମହାକାଶର ଭୂମିକା କ୍ରମଶଃ ବଢ଼ିବାରେ ଲାଗିଛି ।

ଉପଗ୍ରହ ଜରିଆରେ ଶତ୍ରୁପକ୍ଷର ଗତିବିଧି ଉପରେ ନଜରଦାରି, ଗୁଇନ୍ଦା ସୂଚନା ସଂଗ୍ରହ, ସାମରିକ ଯୋଗାଯୋଗ ଓ ନାଭିଗେସନ୍ ଭଳି ବ୍ୟବସ୍ଥା ଯୁଦ୍ଧ ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏଭଳି ସ୍ଥିତିରେ ଚୀନ୍ ଓ ପାକିସ୍ତାନର ବର୍ଦ୍ଧିତ ମହାକାଶ କ୍ଷମତାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରୁଛି। ଏ ଦିଗରେ ଏସ୍ ବିଏସ୍ -୩ ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ad-week
Leave A Reply

Your email address will not be published.