
ନିଶ୍ଚିନ୍ତକୋଇଲି: କଟକ ଚାନ୍ଦବାଲି ରାସ୍ତାର କଟରପଡ଼ା ଛକ ନିକଟରେ ବଡ଼ ଦୁର୍ଘଟଣା। ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକ ଧକ୍କା ଦେବା ଫଳରେ ସ୍କୁଟିରେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡିଛି । ଦୁର୍ଘଟଣାରେ ଆଉ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୪ଟା ୩୦ରେ କଟକରୁ କେନ୍ଦ୍ରାପଡା ଅଭିମୁଖେ ଏକ ୧୪ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଯାଉଥିବା ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ଯାଉଥିବା ୪୦ ବର୍ଷୀୟ ଗୋଲକ ଚନ୍ଦ୍ର ମଳିକ ଓ ତାଙ୍କ ୩୨ ବର୍ଷୀୟ ପତ୍ନୀ ଲିଜା ମଳିକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ମୁକୁନ୍ଦପୁର ପଂଚାୟତ ଡାବଳ ଗାଁ ର ବୋଲି ଜଣା ପଡ଼ିଛି। ୧୪ ଚକିଆ ଟ୍ରକ୍ ଚାଳକଙ୍କ ବେପରୁଆ ଗାଡି ଚାଳନରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଦୁର୍ଘଟଣାରୁ ବଞ୍ଚିଯାଇଥିବା ମୃତକଙ୍କ ସମ୍ପର୍କୀୟ ହେଉଛନ୍ତି ଶିଶୁଆ ନଇଗୁଆଁର ୩୨ ବର୍ଷୀୟ ରଞ୍ଜନ ମଳିକ। ରଞ୍ଜନ ବାଇକରେ ନିଜ ୭ ବର୍ଷର ପୁଅକୁ ଧରି ଆସୁଥିବା ସମୟରେ ଦୁର୍ଘଟଣାକୁ ଦେଖି ତାଙ୍କ ଉପରକୁ ବିପଦ ଥିବାରୁ ବାଇକକୁ ବିଲ ଭିତରକୁ ମୋଡ଼ି ଦେଇଥିଲେ। ଯାହାଫଳରେ ଅଳ୍ପକେ ବାପ ପୁଅ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ରାସ୍ତା କଡ଼କୁ ଟ୍ରକଟି ଓଲଟି ପଡିଥିବା ଗାଡି ଚାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ।
