
କୁଚିଣ୍ଡା: କୁଚିଣ୍ଡା ଥାନା ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମରେ ଜଣେ ନବବିବାହିତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସୁବର୍ଣ୍ଣପାଲି ଗ୍ରାମର ଆଶୁତୋଷ ଖୁଣ୍ଟିଆଙ୍କ ପତ୍ନୀ ଲିଜା ଖୁଣ୍ଟିଆ (୨୨) ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ବାରକୋଟ ନିକଟସ୍ଥ ଅଞ୍ଚଳର ଲିଜା ଗତ ୨ ବର୍ଷ ତଳେ ଆଶୁତୋଷଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଗାଳିଗୁଲଜ ଓ ମାରପିଟ୍ ଲାଗି ରହୁଥିଲା। ଗତ ରାତିରେ ସ୍ୱାମୀ ଆଶୁତୋଷ ଲିଜାଙ୍କୁ ବାଡ଼େଇ ହତ୍ୟା କରିଥିବା ନେଇ ମୃତାଙ୍କ ପିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମକଦ୍ଦମା ରୁଜୁ
ଅନ୍ୟପକ୍ଷରେ, ଲିଜା ପୂର୍ବରୁ ରୋଗଗ୍ରସ୍ତ ଥିଲେ ଏବଂ ଗତ ରାତିରେ ଖଟରୁ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ୱାମୀ ଆଶୁତୋଷ ସଫେଇ ଦେଇଛନ୍ତି। ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଥାନାରେ ଏକ ମକଦ୍ଦମା ରୁଜୁ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
