
ଆମେରିକା : ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଭୟଙ୍କର ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଲସ୍ ଏଞ୍ଜେଲସରେ ୫ ତୀବ୍ରତାର ଭୂକମ୍ପ ଆସିବା ପରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ପ୍ରାୟ ୧୨ କିଲୋମିଟର ଗଭୀରତାରେ ଥିଲା । ଲସ୍ ଏଞ୍ଜେଲସ୍ ବିମାନବନ୍ଦରର ଟର୍ମିନାଲ୍ ଭିତରେ ଛାତର ଟାଇଲ୍ ଓ ପ୍ୟାନେଲ୍ ଖସିପଡ଼ିଥିବା ଜଣାପଡ଼ିଛି । ଏକ ରିଫାଇନାରୀରେ ନିଆଁ ଲାଗିଯାଇଛି । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ଖବର ମିଳିନାହିଁ ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ଭୂକମ୍ପ ପରେ ଅଞ୍ଚଳରେ ୪୦ ଆଫ୍ଟରଶକ୍ ବା ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ଝଟକାରେ ଅଟ୍ଟାଳିକାଗୁଡ଼ିକ ଦୋହଲିବା ସହ ଦୋକାନରେ ଥିବା ସାମଗ୍ରୀ ତଳେ ପଡ଼ିଯାଇଥିଲା । ଭୟଭୀତ ହୋଇ ଲୋକମାନେ ଘର ଓ ଦୋକାନରୁ ବାହାରକୁ ଚାଲିଆସିଥିଲେ ।
ତେବେ ଭୂକମ୍ପରେ ଲସ୍ ଏଞ୍ଜେଲସ୍ ବିମାନବନ୍ଦରର ଟର୍ମିନାଲ୍-୭ରେ କିଛି କାଚ ଭାଙ୍ଗିଯିବା ସହ ଛାତର କିଛି ପ୍ୟାନେଲ୍ ଖସିପଡ଼ିଥିଲା । ମ୍ୟାନହଟନ୍ ବିଚ୍ ଓ ହର୍ମୋସା ବିଚକୁ ସତର୍କତାମୂଳକ ଭାବେ ବନ୍ଦ କରାଯାଇଥିଲା । ଏଲ୍ ସେଗୁଣ୍ଡୋରେ, କିଛି କୋଠାର ବାହ୍ୟ ଅଂଶ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏକ ପିଜା ଦୋକାନର କାଚ ଝରକା ଭାଙ୍ଗି ଯାଇଥିଲା । ଅନ୍ୟ ଏକ ବ୍ୟବସାୟରେ ଏକ ବଡ଼ ସାଇନବୋର୍ଡ ମଧ୍ୟ ପଡ଼ିଯାଇଥିଲା । ଭୂକମ୍ପ ଯୋଗୁଁ ସୁନାମିର କୌଣସି ବିପଦ ନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।
