
ଆଫଗାନିସ୍ତାନ: ଆଫଗାନିସ୍ତାନର ଏକ ସ୍କୁଲରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । ଦେଶର ପୂର୍ବାଞ୍ଚଳରେ ଥିବା କୁନାର ପ୍ରଦେଶର ଏକ ମିଡିଲ୍ ସ୍କୁଲରେ ଶନିବାର ସକାଳେ ଏହି ବିସ୍ଫୋରଣ ଘଟିଛି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଅନ୍ଦାର ସେର ଅଞ୍ଚଳର ଏକ ସ୍କୁଲରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ଛାତ୍ର ମୃତାହତ ହୋଇଛନ୍ତି । ଘଟଣା ପରେ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସ୍କୁଲ ଉପରେ ଆକ୍ରମଣ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅଗଷ୍ଟ ମାସରେ କାବୁଲର ଏକ ସ୍କୁଲ ପରିସରରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଏଥିରେ ୪୦ରୁ ଅଧିକ ଶିଶୁ ଆହତ ହୋଇଥିଲେ । ତାଲିବାନ ଶାସନକୁ ଆସିବା ପରେ ମଧ୍ୟ ଆଫଗାନିସ୍ତାନରେ ବିସ୍ଫୋରଣ ଓ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି । ସ୍କୁଲଠାରୁ ଆରମ୍ଭ କରି ଧାର୍ମିକ ସ୍ଥଳ ଓ ସାର୍ବଜନୀନ ସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଏହି ଘଟଣା ପୁଣିଥରେ ଆଫଗାନିସ୍ତାନର ସୁରକ୍ଷା ବ୍ୟବସ୍ଥା ଓ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି ।
