ୟୁକ୍ରେନ ଗୁଳିମାଡ଼ରେ ରୁଷର ବର୍ଡ଼ର ଫାସିଲିଟି ସେଣ୍ଟର ଧ୍ୱଂସ

add-all

ମସ୍କୋ/କିଭ: ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ୟୁକ୍ରେନର ଗୁଳି ମାଡ଼ରେ ରୁଷ ଯବାନଙ୍କ ଗୋଟିଏ ବର୍ଡ଼ର ଫାସିଲିଟି ସେଣ୍ଟର ଧ୍ୱଂସ ହୋଇଯାଇଥିବା ମସ୍କୋ ଦାବି କରିଛି। ଏହି ବର୍ଡ଼ର ଫାସିଲିଟି ସେଣ୍ଟରକୁ ରୁଷିଆର ଫେଡରାଲ ସିକ୍ୟୁରିଟି ସର୍ଭିସ(ଏଫଏସ୍‌ବି) ବିଭିନ୍ନ କାମ ପାଇଁ ବ୍ୟବହାର କରୁଥିଲା। ଏଠାରେ ଯବାନଙ୍କ ବିଶ୍ରାମ ସହ ନେଟୱର୍କ ସୁବିଧାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ୟୁକ୍ରେନ ସୀମା ପଟୁ ମାଡ଼ ହୋଇଥିବା ଗୁଳିରେ ଏହା ଧ୍ୱଂସ ହୋଇଯାଇଛି।
ରୁଷ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଫେବୃଆରୀ ୨୧ ତାରିଖ ସକାଳ ୯.୫୦ରେ ୟୁକ୍ରେନ ସୀମାରୁ ଗୁଳି ମାଡ଼ ହୋଇଥିଲା। ଏଥିରେ ଏଫଏସ୍‌ବି ବର୍ଡର ଗାର୍ଡ ବ୍ୟବହାର କରୁଥିବା ଗୋଟିଏ ସୀମା ସୁବିଧା କେନ୍ଦ୍ର ସଂପୂର୍ଣ୍ଣ ଧ୍ୱଂସ ପାଇ ଯାଇଛି। ରୋସ୍ତବ ରିଜନରେ ଏହି ସୀମା ସୁବିଧାଟି ଥିଲା। ରୁଷ ଓ ୟୁକ୍ରେନ ସୀମା ଠାରୁ ଏହା ୧୫୦ କିମି ଦୂର।”
ଅନ୍ୟପକ୍ଷରେ ଯୁଦ୍ଧର ଭୟ ସୃଷ୍ଟି କରୁଥିବା ରୁଷ ଉପରେ କଟକଣା ଲଗାଇବାକୁ ୟୁକ୍ରେନ ଦାବି କରିଛି। ୟୁରୋପ ୟୁନିୟନ ଯୁଦ୍ଧ ବିରୋଧରେ ରହିଥିବା ପ୍ରମାଣ କରିବା ପାଇଁ ତୁରନ୍ତ କଟକଣା ଲଗାନ୍ତୁ ବୋଲି କିଭ୍‌ ଦାବି କରିଛି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରୁଷ ୧୯୪୫ ପରଠାରୁ ସବୁଠାରୁ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଆଶଙ୍କା କରିଛନ୍ତି।
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ୟୁରୋପ ୟୁନିୟନର ନେତାମାନଙ୍କୁ ଭେଟିବାକୁ ବ୍ରୁସେଲ୍ସ ଆସିଛନ୍ତି। ଏହି ସମୟରେ ସେ କହିଛନ୍ତି, “ଏବେ ଅନେକ ବଡ଼ ନିଷ୍ପତ୍ତି ନେବାର ସମୟ ୟୁରୋପ ୟୁନିୟନ ପାଇଁ ଆସିଛି। ଉତ୍ତେଜନାକୁ ସେମାନେ କେବେ ହେଲେ ଗ୍ରହଣ କରିବେ ନାହିଁ ବୋଲି ରୁଷକୁ ବାର୍ତ୍ତା ଦେବା ଦରକାର। ସେହିପରି ୟୁକ୍ରେନକୁ ସେମାନେ ଏକାକୀ ଛାଡ଼ିବେ ନାହିଁ ବୋଲି ରୁଷ ଆଗରେ ସ୍ପଷ୍ଟ କରିବା ଉଚିତ। ଏଥିପାଇଁ ୟୁରୋପ ୟୁନିୟନ କଟକଣା ଲାଗୁ କରୁ।”
କିନ୍ତୁ ୟୁରୋପ ୟୁନିୟନର ବୈଦେଶିକ ନୀତି ମୁଖ୍ୟ ଯୋଶେଫ ବୋରେଲ ତତ୍କାଳ ଭାବେ ରୁଷ ଉପରେ କଟକଣା ଲଗାଇବା ସପକ୍ଷରେ ନାହାନ୍ତି। ଏବେ ବି ସେ ବିବାଦର ସମାଧାନ କୂଟନୀତିକ ସ୍ତରରେ ହୋଇପାରିବ ବୋଲି ଆଶା ରଖିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ଚାହୁଁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନଙ୍କ ସହ ପୁଟିନ କଥା ହେବା ବେଳେ ବାଇଡେନଙ୍କ ସହ ବୈଠକ କରିବା ସପକ୍ଷରେ ମତ ରଖିଥିଲେ। ହେଲେ ଏବେ ରୁଷ ଏଥିରେ ପଛଘୁଞ୍ଚା ଦେଇଛି। ତରବରିଆ ଭାବେ ପୁଟିନ ଓ ବାଇଡେନଙ୍କ ମଧ୍ୟରେ ବୈଠକ କରିବା ସମୟ ଆସି ନଥିବା ରୁଷ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.