ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ପ୍ରଥମ ଭାରତୀୟ ଛାତ୍ର ପ୍ରାଣ ହରାଇବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳେ ରୁଷ ପକ୍ଷରୁ ଖାର୍କିଭରେ ହୋଇଥିବା ବୋମା ମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ନୀବନଙ୍କ ବାପାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥା ହୋଇଛନ୍ତି।
ଏଥିସହ ନବୀନ କର୍ଣ୍ଣାଟକାର ହୋଇଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏସବୁ ଭିତରେ ୟୁକ୍ରେନ ସ୍ଥିତିକୁ ନେଇ ମୋଦି ଆଜି ପୁଣି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ୨ ଦିନ ଭିତରେ ମୋଦି ୪ର୍ଥଥର ପାଇଁ ଏପରି ବୈଠକ ଡାକିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ସେ ୟୁକ୍ରେନ ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଏଥିସହ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ବି ମୋଦି ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ପୂର୍ବରୁ କେବଳ ଏୟାର ଇଣ୍ଡିଆ ୟୁକ୍ରେନ ସୀମାନ୍ତ ହଙ୍ଗେରୀ, ପୋଲଣ୍ଡ ଓ ରୋମାନିଆରୁ ଭାରତୀୟ ନାଗରିକଙ୍କୁ ଏୟାରଲିଫ୍ଟ କରୁଥିଲେ।
ଏବେ ଭାରତ ସରକାର ଆରମ୍ଭ କରିଥିବା ମିଶନ ଗଙ୍ଗାରେ ଭାରତୀୟ ବାୟୁ ସେନା ସାମିଲ ହେବ। ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ବାୟୁସେନା ବିମାନ ଯିବ ବୋଲି ଭାରତ ସରକାର କହିଛନ୍ତି। ସେହିପରି ୪ ଜଣ ମନ୍ତ୍ରୀଙ୍କୁ ମଧ୍ୟ ୟୁକ୍ରେନ ସୀମାନ୍ତର ବିଭିନ୍ନ ଦେଶକୁ ପଠା ଯାଇଛି। ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ହିଁ ଭାରତର ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରୁଷ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭ୍ ବ୍ୟତୀତ ଦେଶର ଦ୍ୱିତୀୟ ବଡ଼ ସହର ଖାରକିଭରେ ମଧ୍ୟ ହମଲା କରୁଛନ୍ତି। ରୁଷର ମିସାଇଲ ମାଡ଼ ଯୋଗୁ ଖାରକିଭ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଏବେ ବି ରୁଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି।
ଏହି ସମୟରେ ହୋଇଥିବା ଶେଲିଂରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ବୟସ ୨୧ ବର୍ଷ। ତାଙ୍କ ଘର କର୍ଣ୍ଣାଟକାର ହାବେରି ଅଞ୍ଚଳରେ। ସେ ଆଜି ସକାଳେ ସଉଦା କିଣିବାକୁ ଯାଇଥିଲେ। ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ନବୀନ ଲାଇନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଛି। ଏ ସମ୍ପର୍କରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସଂଯୋଜନକ ପୂଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁସାରେ ଜଣେ ୟୁକ୍ରେନ ମହିଳା ନବୀନଙ୍କ ମୋବାଇଲ ପାଇଥିଲେ। ଏହାପରେ ହିଁ ତାଙ୍କ ସମ୍ପର୍କରେ ସୂଚନା ମିଳିଛି। ଘଟଣା ପରେ ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି। ସେହିପରି ଏହି ଘଟଣାରେ ଆଉ କିଛି ୟୁକ୍ରେନ ଲୋକ ମଧ୍ୟ ମୃତାହତ ହୋଇଛନ୍ତି।
