ୟୁକ୍ରେନର ରାଷ୍ଟ୍ରପତି ହେବେ ଭିକ୍ଟୋର ୟାନୁକୋଭିଚ୍‌! ରୁଷ ଚଳାଇଛି ଷଡ଼ଯନ୍ତ୍ର

add-all

ମସ୍କୋ: ୟୁକ୍ରେନ ବିରୋଧରେ ରୁଷ ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି। ଦେଶର ରାଜଧାନୀ କିଭ୍‌କୁ ଦଖଲ କରି ରୁଷ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଅତି ନିକଟରେ ପହଞ୍ଚି ଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଗାଦିଚ୍ୟୁତ କରି ରୁଷ ଏଠାରେ ନିଜ ଇସାରରେ ସରକାର ଗଠନ କରିବାକୁ ଚାହୁଁଛି। ଏଥିପାଇଁ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ଭିକ୍ଟୋର ୟାନୁକୋଭିଚ୍‌ଙ୍କୁ ନେଇ ବଡ଼ ଯୋଜନା କରୁଛି ରୁଷ।
ଯୁଦ୍ଧ ପରେ ରୁଷ ଭିକ୍ଟୋରଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରିବାକୁ ଚାହୁଁଛି। କାରଣ ସେ ରୁଷ କଥାରେ ପୂର୍ବରୁ ପରିଚାଳିତ ହେଉଥିଲେ। ତେବେ ଦେଶରେ ବିରୋଧ ଯୋଗୁ ଭିକ୍ଟୋର ୨୦୧୪ରୁ ୟୁକ୍ରେନ ବାହାରେ ରହୁଛନ୍ତି। ଏବେ ତାଙ୍କୁ ରୁଷ ପୁଣିଥରେ ୟୁକ୍ରେନ ଶାସନ ଗାଦିରେ ବସିବାକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ୟୁକ୍ରେନ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ଯେ ରୁଷ ଭିକ୍ଟୋର ୟାନୁକୋଭିଚଙ୍କୁ ୟୁକ୍ରେନର ନୂଆ ରାଷ୍ଟ୍ରପତି କରିବାକୁ ଚାହୁଁଛି। ତାଙ୍କୁ ସ୍ୱତନ୍ତ୍ର ଅପରେସନ ଜରିଆରେ ରୁଷ ସୈନ୍ୟ ୟୁକ୍ରେନକୁ ଆଣିବେ। ଏହାପରେ ତାଙ୍କୁ ୟୁକ୍ରେନର ରାଷ୍ଟ୍ରପତି ଭାବେ ଘୋଷଣା କରାଯିବ।
ତେବେ ଭିକ୍ଟୋର ୟାନୁକୋଭିଚ୍‌ କିଏ? କାହିଁକି ରୁଷ ତାଙ୍କୁ ଏତେ ଭରସା କରୁଛି?
୨୦୧୦ ମସିହାରେ ୟୁକ୍ରେନର ୪ର୍ଥ ରାଷ୍ଟ୍ରପତି ଭାବେ ୟାନୁକୋଭିଚ୍‌ ନିର୍ବାଚିତ ହୋଇଥିଲେ। ମୈଦାନ ବିପ୍ଳବ ଆରମ୍ଭ ହେବା ଯାଏ ସେ ଏହି ପଦରେ କାମ କରିଥିଲେ। ରୁଷ ପ୍ରତି ତାଙ୍କର ଗଭୀର ଭଲ ପାଇବା ଥିଲା ଓ ରୁଷ କଥାରେ ହିଁ ସେ ପରିଚାଳିତ ହେଉଥିଲେ।
ରୁଷ ସହ ତାଙ୍କର ମଧୁଚନ୍ଦ୍ରିକା ୟୁକ୍ରେବାସୀଙ୍କୁ କ୍ଷୁବ୍ଧ କରିଥିଲା। ସେମାନେ ଆନ୍ଦୋଳନ ଆରମ୍ଭ କରିବାରୁ ପୂରା ଦେଶରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଶେଷରେ ୨୦୧୪ ଫେବୃଆରୀ ମାସରେ ୟାନୁକୋଭିଚ୍‌ ଗାଦିଚ୍ୟୁତ ହୋଇଥିଲେ। ୨୦୧୩ ନଭେମ୍ବର ମାସରେ ସେ ୟୁରୋପ ୟୁନିୟନ ସହ ଗୋଟିଏ ରାଜନୀତିକ ଓ ବ୍ୟବସାୟିକ ଚୁକ୍ତିରେ ସ୍ୱାକ୍ଷର କରିବାକୁ ମନା କରିଥିଲେ।
ରୁଷ କଥାରେ ସେ ୟୁକ୍ରେନକୁ ୟୁରୋପ ୟୁନିୟନ ଠାରୁ ଦୂରେଇ ରଖୁଥିବା ଜଣାପଡ଼ିବା ପରେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ପ୍ରବଳ ବିରୋଧ ଯୋଗୁ ୟାନୁକୋଭିଚ୍‌ ପ୍ରଥମେ ୟୁକ୍ରେନରୁ ଖସି ରୁଷ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ରୁଷ ସରକାର ରାଜନୀତିକ ଆଶ୍ରୟ ପ୍ରଦାନ କରିଥିଲେ। ସେ ରୁଷରେ ରହି ସବୁ ରଣନୀତି କରୁଥିବା କୁହାଯାଉଛି। ୟାନୁକୋଭିଚ୍‌ ରୁଷର ଚାବି ଦିଆ କଣ୍ଢେଇ ବୋଲି ସମସ୍ତେ କୁହନ୍ତି। ଏଥିପାଇଁ ଏବେ ରୁଷ ସରକାର ତାଙ୍କୁ ୟୁକ୍ରେନର ଶାସନ ଗାଦିରେ ବସାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ୟୁକ୍ରେନ ଆଉ ୟୁରୋପୀୟ ଦେଶ କିମ୍ବା ନାଟୋରେ ସାମିଲ ହେବାକୁ ଉଦ୍ୟମ କରିବ ନାହିଁ।

ad-week
Leave A Reply

Your email address will not be published.