ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ

add-all


ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ।ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜାଣିବେ ଏଭଳି କିଛି ଚିନ୍ତାଧାରାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହି ଅନଲାଇନରେ ପାଠ ପଢ଼ୁଥିଲେ। ସରକାରଙ୍କ ନିଷ୍ପତ୍ତି କ୍ରମେ ସୋମବାର ଠାରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଖୋଲି ଯାଇଛି। ଫଳରେ କେବଳ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଯାଇଛି।ସେହିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୯ଟାରୁ ବିଦ୍ୟାଳୟରେ ପହଁଚି ଆଚାର୍ଯ୍ୟ ଆଚାର୍ଯ୍ୟା ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରିଥିଲେ।

ଛାତ୍ରଛାତ୍ରୀଙ୍କୁ ଏହି ଦୁଇବର୍ଷ କରୋନା ସମୟରେ ସେମାନେ କିଭଳି ଘରେ ସମୟ ବିତାଉଥିଲେ ସେନେଇ ନିଜ ଅନୁଭୁତି ବଖାଣିଥିଲେ। ପ୍ରଥମ ଦିନରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବା ବେଳେ ତାର ପରବର୍ତ୍ତୀ ଦିବସରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ଅଭିଭାବକ ଅଭିଭାବିକାଙ୍କ ସହ ପହଁଚି ଥିଲେ।ଶିଶୁଙ୍କ ଖୁସି କହିଲେ ନ ସରେ । ଦୀର୍ଘଦିନ ପରେ ସେମାନଙ୍କ ବିଦ୍ୟାଳୟ ଗମନାଗମନର ଯେଉଁ ପ୍ରତୀକ୍ଷା ,ତାହାର ଅନ୍ତ ଘଟିଛି ଅର୍ଥାତ ସମଗ୍ର ବିଦ୍ୟାଳୟ ପରିବେଶ ଖୁସିରେ ଭରିଯାଇଛି ।

ad-week
Leave A Reply

Your email address will not be published.