ନବାବ ମଲିକଙ୍କ ରିମାଣ୍ଡ ଅବଧି ବଢିଲା

add-all

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କୁ ମିଳିଲାନି ଆଶ୍ୱସ୍ତି। ଦାଉଦ ଇବ୍ରାହିମ ମନିଲଣ୍ଡିରିଂ ମାମଲାରେ ଗିରଫ ହୋଇଥିବା ନବାବଙ୍କୁ ଏବେ ଜେଲରୁ ମିଳିବନି ମୁକ୍ତି। ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତ ତାଙ୍କ ରିମାଣ୍ଡ ଅବଧି ବଢ଼ାଇ ଦେଇଛନ୍ତି। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବା ବେଳେ କୋର୍ଟ ତାଙ୍କୁ ଆହୁରି ୪ ଦିନ ପାଇଁ ଇଡି ରିମାଣ୍ଡକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ମାର୍ଚ୍ଚ ୭ ତାରିଖ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଷ୍ଟଡିରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ନବାବଙ୍କ ରିମାଣ୍ଡ ଅବଧି ବଢ଼ାଇବା ନେଇ ଶୁଣାଣି ଥିଲା। ନବାବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେଣୁ ପଚରାଉଚରା ହୋଇପାରିନଥିଲା। ଏଥିଲାଗି ଆଉ ୬ ଦିନ ପାଇଁ ଏନ୍‌ସିପି ନେତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଆବେଦନ କରିଥିଲା ଇଡି । ଏହି ମାମଲାର ଶୁଣାଣି କରି ନବାବଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ। ସେପଟେ ନିଜ ଗିରଫଦାରୀକୁ ଅବୈଧ କହି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ନବାବ। ଏହି ମାମଲାରେ ଆସନ୍ତା ୭ ତାରିଖରେ ଶୁଣାଣି ହେବ।
ମୁମ୍ବାଇ କୁର୍ଲା ସ୍ଥିତ ମୁନିରା ପ୍ଲମ୍ବରଙ୍କ ୩୦୦ କୋଟି ଟଙ୍କାର ପ୍ଲଟ୍‌କୁ ନବାବ ମଲିକ ମାତ୍ର ୩୦ରୁ ୪୦ ଲକ୍ଷ ଟଙ୍କାରେ କିଣିଛନ୍ତି। ତେବେ ସେଥିରୁ କେବଳ ୨୦ ଲକ୍ଷ ଟଙ୍କା ଦେଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଏହି ଜମିର ପ୍ରକୃତ ମାଲିକଙ୍କୁ ଟଙ୍କାଟିଏ ବି ଦିଆଯାଇ ନାହିଁ। ବରଂ ଜମିକୁ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଓ ମୁମ୍ବାଇ ବୋମା ବସ୍ଫୋରଣର ଅଭିଯୁକ୍ତଙ୍କ ନାଁରେ କରି ଦିଆଯାଇଥିଲା। ଏହାପରେ ନବାବ ମଲିକଙ୍କ ପୁଅ ଫରାଜ ମଲିକଙ୍କ ନାଁକୁ ଏହି ଜମି ଟ୍ରାନ୍ସଫର ହୋଇଥିଲା। ଏହି ଜମି ବାବଦକୁ ନବାବ କୁଆଡେ ଦାଉଦଙ୍କ ଭଉଣୀ ହସିନା ପାର୍କରଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିବା କୁହାଯାଉଛି। ଏହି ମାମଲାରେ ପ୍ରଥମେ ଇଡି ନବାବ ମଲିକଙ୍କୁ ତାଙ୍କ ଘରେ ପଚରାଉଚରା କରିଥିଲା। ଦୀର୍ଘ ୮ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.