ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ

add-all

ପୁରୀ: ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରର ମଧ୍ୟ ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ମନ୍ଦିର ବାହାରେ ଯାତ୍ରୀଙ୍କ ପାଇଁ କମ୍ୟୁନିଟି ସେଣ୍ଟର ସହ ବିଶ୍ରାମଗାର, ମନ୍ଦିର ସୁରକ୍ଷା ପାଇଁ ଚାରିପଟେ ପାଚେରୀ ନିର୍ମାଣ କରାଯିବ। ସବୁଠାରୁ ବଡ଼କଥା ହେଲା ସାମାନ୍ୟ ବର୍ଷା ହେଲେ ମନ୍ଦିର ଭିତରେ ଅନେକ ସମୟରେ ବର୍ଷା ଜଳ ଜମି ରହୁଥିବାରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଲୋକନାଥ ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଏଣିକି ଆଉ ଅସୁବିଧା ଭୋଗିବିକୁ ପଡିବନି। ଭକ୍ତଙ୍କ ପାଇଁ ଯାତ୍ରୀ ବିଶ୍ରାମଗାର ସହ ମାଗଣାରେ ଜୋତା ଷ୍ଟାଣ୍ଡର ବ୍ୟବସ୍ଥା କରାଯିବ। ସେହିପରି ବର୍ଷା ସମୟରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ମନ୍ଦିର ଭିତରେ ଜମି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ମଧ୍ୟ କରାଯିବ। ସେବାୟତ ଓ ଭକ୍ତଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ। ଲୋକନାଥ ମନ୍ଦିର ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକରେ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିଭଳି କରାଯିବ ସେନେଇ ଆଲୋଚନା ହୋଇଛି।

ରାଜ୍ୟର କୋଣ ଅନୁକୋଣରୁ ଲୋକନାଥ ମନ୍ଦିରକୁ ପ୍ରତିଦିନ ଅନେକ ଭକ୍ତ ଓ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ଯାତ୍ରୀ ବିଶ୍ରାମଗାର ସହ କମ୍ୟୁନିଟି ସେଣ୍ଟର ନିର୍ମାଣ, ମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ଚାରିପଟେ ପାଚେରୀ ନିର୍ମାଣ, ପୁରୁଣା ଦୋକାନ ଘର ଭାଙ୍ଗି ନୂତନ ଦୋକାନ ଘର ନିର୍ମାଣ, ମନ୍ଦିର ସମ୍ମୁଖରେ ମୋଟର ସାଇକେଲ ଷ୍ଟାଣ୍ଡ ସହ ପାଦ ଓ ହାତ ପ୍ରକ୍ଷାଳନର ବ୍ୟବସ୍ଥା କରାଯିବ। ବିଳମ୍ବରେ ହେଉ ପଛେ ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ ନେଇ ପ୍ରଶାସନ ଅଣ୍ଟା ଭିଡିଥିବାରୁ ଏହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ଶୈବ ଭକ୍ତ।

ଦୀର୍ଘ ବର୍ଷ ଧରି ପୁରୀର ପ୍ରସିଦ୍ଧ ଏହି ଲୋକନାଥ ମନ୍ଦିରକୁ ଅଣଦେଖା କରାଯାଉଥିବା ସେବାୟତ ମାନେ ଅଭିଯୋଗ କରିଆସୁଥିଲେ। ତେବେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଏବେ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ସେବାୟତ।

ମନ୍ଦିରର ଉନ୍ନତିକରଣ ପାଇଁ ୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହା ମଧ୍ୟରେ ଯାତ୍ରୀ ସୁବିଧା ଥିବା ବ୍ୟବସ୍ଥା ସହ କମ୍ୟୁନିଟି ସେଣ୍ଟର ପାଇଁ ୪୦ ଲକ୍ଷ ୫୮ ହଜାର ଟଙ୍କା, ମନ୍ଦିର ଚାରିପଟେ ପାଚେରୀ ଓ ନୂତନ ଦୋକାନ ଘର ନିର୍ମାଣ ନିମନ୍ତେ ୪୪ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ମନ୍ଦିର ସମ୍ମୁଖରେ ପେଭର ବ୍ଲକ ବିଛାଇବା, ଜିଆଇ ଗେଟ ତିଆରି କରିବା, ମୋଟର ସାଇକେଲ ଷ୍ଟାଣ୍ଡ, ପାଦ ଓ ହାତ ପ୍ରକ୍ଷାଳନ ବ୍ୟବସ୍ଥା ପାଇଁ ୪୯ ଲକ୍ଷ ୮୭ ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ପାର୍କିଂ ଅଞ୍ଚଳ ଓ ପାର୍ବତୀ ସାଗର ପୁଷ୍କରିଣୀର ଉନ୍ନତିକରଣ ପାଇଁ ୩୧ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ଜଣାପଡିଛି।

ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ad-week
Leave A Reply

Your email address will not be published.