ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା, ଝାଡୁ ଛାଡି ପଦ୍ମ ଧରିଲେ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍‌କା। ହିମାଚଳ ପ୍ରଦେଶର ଆପ୍‌ ମୁଖ୍ୟ ଅନୁପ କେଶରୀ ଏବଂ ଅନ୍ୟ ଦୁଇ ନେତା ଶୁକ୍ରବାର ବିଜେପିରେ ସାମିଲ୍‌ ହୋଇଛନ୍ତି। ରାଜଧାନୀ ଦିଲ୍ଲୀ ସ୍ଥିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ କେଶରୀଙ୍କ ସମେତ ସଂଗଠନର ମହାସଚିବ ସତୀଶ ଠାକୁର ଏବଂ ଜିଲ୍ଲା ପ୍ରମୁଖ ଇକ୍‌ବାଲ୍‌ ସିଂହ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଏହି ସମୟରେ ସେମାନେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି।
ମଣ୍ଡି ନିର୍ବାଚନମଣ୍ଡଳୀରେ ରୋଡ୍ ଶୋ’ ସମୟରେ ଦଳର ନେତାଙ୍କୁ କେଜରିୱାଲ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି କେଶରୀ। ସେ କହିଛନ୍ତି ଆମେ ହିମାଚଳ ପ୍ରଦେଶରେ ଦୀର୍ଘ ୮ ବର୍ଷ ଧରି ସଚ୍ଚୋଟତା ଏବଂ ଉତ୍ସର୍ଗୀକୃତ ସହିତ ୨୪ ଘଣ୍ଟା କାମ କରିଆସିଛୁ। କିନ୍ତୁ ଅରବିନ୍ଦ କେଜରିୱାଲ୍‌ ମଣ୍ଡି ନିର୍ବାଚନମଣ୍ଡଳୀରେ ରୋଡ୍ ଶୋ’ ବେଳେ ଦଳୀୟ ନେତାଙ୍କୁ ଅଣଦେଖା କରିଥିଲେ। ଏହି ଅବହେଳାକୁ ଅପମାନ ବୋଲି ମନେ କରିଥିଲେ ରାଜ୍ୟର ଆପ୍‌ କର୍ମୀ। ଏଥିଲାଗି ଆତ୍ମ ସମ୍ମାନ ପାଇଁସେ ଦଳ ଛାଡିଥିବା କହିଛନ୍ତି।
କେଜରିୱାଲ୍‌ଙ୍କ ଉପରେ କେଶରୀ ଅସନ୍ତୋଷ ଥିବା କହିଛନ୍ତି। ଯିଏ ଦଳ ପାଇଁ ଦିନ ରାତି କାମ କରୁଥିଲେ ସେମାନଙ୍କୁ ସେ ଅଣଦେଖା କରିଛନ୍ତି। କେବଳ କେଜରିୱାଲ୍ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ମଣ୍ଡି ରୋଡ୍ ଶୋରେ ମୁଖ୍ୟ ଆକର୍ଷଣ ଥିଲେ ବୋଲି ସେ କହିଛନ୍ତି।
ବିଜେପିରେ ଯୋଗଦେବା ପରେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ​​ଦଳକୁ କ୍ଷମତାକୁ ଫେରାଇ ଆଣିବା ପାଇଁ କଠିନ ପରିଶ୍ରମ କରିବାକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କୁ ଆଶ୍ୱାସନା ଦେଇଛନ୍ତି।
ସେପଟେ ହିମାଚଳପ୍ରେଦଶ ଆପ୍‌ ମୁଖ୍ୟ ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆପ୍‌ ନେତା ମନୀଷ ସିଶୋଦିଆ। ଅନୁପ କେଶରୀଙ୍କୁ ଦଳ ପୂର୍ବରୁ ହିଁ ବାହାର କରିବା ପାଇଁ ଯୋଜନା କରୁଥିଲା ବୋଲି ସେ କହିଛନ୍ତି। ଏଥିସହ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କୁ ସେମାନେ ନେଇଛନ୍ତି, ତାଙ୍କ ପାଇଁ ବିଜେପି ଉପଯୁକ୍ତ ସ୍ଥାନ। ଆପ୍‌ର ଏକ ସ୍ପଷ୍ଟ ନୀତି ଅଛି, ଆମେ ଏଭଳି ଲୋକଙ୍କୁ ଆମ ସହ ରଖୁନାହୁଁ। ଉଲ୍ଲେଖଯୋଗ୍ୟ ଯେ, ଅନୁପ କେଶରୀଙ୍କ ବିରୋଧରେ ମହିଳା ୱଙ୍ଗି ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ଏହାପରେ ଅନୁପ କେଶରୀ ମହିଳା ୱିଙ୍ଗ ଦ୍ୱାରା ପଚରାଉଚରା ବେଳେ ଧରାପଡିଥିବା ଜଣାପଡିଛି। ଅନୁସନ୍ଧାନ କମିଟି ଅନୁପ କେଶରୀଙ୍କୁ ଦଳରୁ ବହିଷ୍କାର କରିବାକୁ ମଧ୍ୟ ସୁପାରିଶ କରିଥିଲା। ଯାହା ପରେ ଅନୁପ କେଶରୀଙ୍କୁ ଦିନେ କିମ୍ବା ଦୁଇ ଦିନ ଭିତରେ ଆମ୍ ଆଦମୀ ପାର୍ଟିରୁ ବାହାର କରାଯାଇଥାନ୍ତା। ତେବେ, କେଉଁ ମାମଲାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିବା ସେ ନେଇ କୌଣସି ସୂଚନା ମିଳିନାହିଁ।

ad-week
Leave A Reply

Your email address will not be published.