ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଷ୍ଟେଜ ନିକଟରେ ବିସ୍ଫୋରଣ

add-all

ପାଟନା: ପୁଣିଥରେ ଗୋଟିଏ ଅପ୍ରୀତିକର ଓ ବିପଜ୍ଜନକ ସ୍ଥିତିର ସାମ୍ନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଜନସଭାର ଷ୍ଟେଜ ନିକଟରେ ବୋମା ମାଡ଼ ହୋଇଛି। ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବେଳେ ମାତ୍ର ୨୦ ଫୁଟ ଦୂରତାରେ ବୋମା ବିସ୍ଫୋରଣ ହେବା ତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ସିଲାଓରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋଟିଏ ଜନସଭାରେ ଆୟୋଜନ କରିଥିଲେ। ଏହି ସମୟରେ ହଠାତ୍‌ ଜନସଭା ନିକଟରେ କମ ତୀବ୍ରତାର ଗୋଟିଏ ବିସ୍ଫୋରଣ ହୋଇଥିଲା। ଘଟଣା ପରେ ଜନସଭାରେ ଆତଙ୍କ ଖେଳି ଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।
ଅନ୍ୟପକ୍ଷରେ ପୁଲିସ୍ ଏହି ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ନିକଟରୁ ଗୋଟିଏ ବାଣ ଓ ଗୋଟିଏ ଦିଆସିଲି ମିଳିଛି। ପୁଲିସ୍ ଗିରଫ ବ୍ୟକ୍ତିଙ୍କ ବିରୋଧୀ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ବିହାରର ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁଣିଥରେ ହମଲା କରିବାକୁ ଚେଷ୍ଟା କରାଯାଇଛି। ବାରମ୍ବାର ନୀତୀଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଯିବା ଚିନ୍ତାର ବିଷୟ।”
କିଛି ଦିନ ପୂର୍ବେ ନୀତୀଶ କୁମାରଙ୍କୁ ତାଙ୍କ ନିଜ ସହର ବଖତିୟାରପୁରରେ ଜଣେ ବ୍ୟକ୍ତି ମାଡ଼ ମାରିଥିଲେ। ସେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଉପରେ ଏପରି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

ad-week
Leave A Reply

Your email address will not be published.