
ବେଜିଂ: ଭୟଙ୍କର ହେଲାଣି ଭାଇରସ। ଦେଖାଇଲାଣି ଉଗ୍ର ରୂପ। ମହାମାରୀକୁ ନେଇ ଚୀନ୍ରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ କାବୁ କରିବା ପାଇଁ ଡ୍ରାଗ୍ନର ଫେଲ୍ ମାରିଛି ସବୁ ଚାଲ୍। ଏଠାରେ ଜିରୋ କୋଭିଡ ପଲିସି ବି କମା ଦେଉନି। କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନ୍ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରିଛି କଡା କଟକଣା।
ଚୀନ୍ର ବିଭିନ୍ନ ସହରରେ ଲାଗୁ ହୋଇଛି ଲକ୍ଡାଉନ୍। ତାଲାବନ୍ଦ ଯୋଗୁଁ ନାହିଁ ନଥିବା ଅସୁବିଧାରୁ ସମ୍ମୁଖିନ ହେଉଛନ୍ତି ଚୀନ୍ବାସୀ। ଏଠାରେ ସ୍ଥିତି ଦୟନୀୟ ହୋଇପଡିଛି। ଏପରିକି ଭାଇରସ ପାଇଁ ଏବେ ଲୋକଙ୍କୁ ଭୋକ ଉପବାସରେ ବି ରହିବାକୁ ପଡୁଛି। କେବଳ ଗୋଟିଏ ବେଳା ଖାଇବାକୁ ପାଉଛନ୍ତି ଲୋକେ।
ରିପୋର୍ଟ ମୁତାବକ ଚୀନ୍ରେ ଦୈନିକ ସଂକ୍ରମଣ ମାମଲା ହୁ ହୁ ହୋଇ ବଢ଼ି ଚାଲିଛି। ଏଥିଯୋଗୁଁ ଏଠାରେ ବିଶ୍ୱର ସବୁଠୁ କଡା ଲକ୍ଡାଉନ୍ ଲାଗୁ ହୋଇଛି। ଲୋକଙ୍କୁ ଘରେ ଏକ ପକାରର ଗୃହବନ୍ଦୀ ହୋଇ ରହିବାକୁ ପଡୁଛି। ବାହାରକୁ ବାହାରିବା ପାଇଁ ସମସ୍ତଙ୍କୁ ମନା ହୋଇଛି। ଏଭଳି ସ୍ଥିତିରେ ଲକୋଙ୍କ ପାଖରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ପହଞ୍ଚି ପାରୁନି। ଫଳରେ ଲୋକଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛି।
ଗତ ଏପ୍ରିଲ ୫ ତାରିଖରୁ ଚୀନ୍ର ବିଭିନ୍ନ ସହରରେ ଲକ୍ଡାଉନ୍ ଲାଗୁ ହୋଇଛି। ଲଗାତାର ଚାଇନାରୁ ଭିଡିଓ ସାମ୍ନାକୁ ଆସୁଛି ଯେଉଁଠି ଲୋକ ଖାଇବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଡହଳବିକଳ ହେଉଛନ୍ତି। କୋଭିଡ ଗାଇଡଲାଇନ କଡାକଡି ଯୋଗୁଁ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ପାଇଁ ଅନକେ ସଂଘର୍ଷ କରିବାକୁ ପଡୁଛି।