
ହିଞ୍ଜିଳିକାଟୁ (୧୬/୪): ବେଆଇନ ଭାବେ ଦେଶୀ ମଦ ଚାଲାଣ କରିବା ଅଭିଯୋଗରେ ହିଞ୍ଜିଳି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଗୋଳନ୍ଥରା ଗ୍ରାମର ପ୍ରଶାନ୍ତ ଦାସ ଓ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ହରିହର ଦାସ । ଏ ନେଇ ହିଞ୍ଜିଳି ଥାନାରେ ୧୮୫/୨୨ ଓ ୧୮୬/୨୨ରେ ୨ଟି ମାମଲା ରୁଜୁ କରି ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ପେଟ୍ରୋଲି କରୁଥିବା ବେଳେ ଗୋପିନାଥପୁର ରାସ୍ତା ପାର୍ଶ୍ବ ବିଶ୍ରାମ କକ୍ଷରେ ପ୍ରଶାନ୍ତ ୭୨ ଲିଟର ଦେଶୀ ମଦ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ପୋଲିସ ଜବତ କରିବା ସହ ପ୍ରଶାନ୍ତଙ୍କୁ ଗିରଫ କରିଛି । ଅନୁରୂପ ଭାବେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ହରିହର ଦାସ ବେଆଇନ ଭାବେ ୫୬ ଲିଟର ଦେଶୀ ମଦ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ସଂପୃକ୍ତ ଗ୍ରାମ ଠାକୁରାଣୀ ମନ୍ଦିର ନିକଟରୁ ମଦ ଜବତ କରିବା ସହ ହରିହରଙ୍କୁ ଗିରଫ କରିଛି । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ପାନ ଦୋକାନ ଠାରୁ ଆରମ୍ଭ କରି ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉନାହିଁ । କେବଳ ଲୋକ ଦେଖାଣିଆ ଭାବେ କେବେ କେବେ ଅଳ୍ପ ପରିମାଣର ମଦ ଜବତ କରି ନିରବ ସାଜୁଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳର ଅବକାରୀ ବିଭାଗୀୟ କାର୍ଯ୍ୟାଳୟରେ ଅଧିକାଂଶ ସମୟ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।