ରାଜଧାନୀରେ ପୁଣି ଡରାଇଲାଣି କରୋନା, ୧୨୦୦ ଟପିଲା ସକ୍ରିୟ ମାମଲା

add-all

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ବେଶ୍‌ କିଛି ଦିନର ବ୍ରେକ୍‌ ପରେ ପୁଣି ଉପର ମୁହାଁ ହେବାକୁ ଲାଗିଛି ଏହି ମାରାତ୍ମକ ଭାଇରସ। ଦେଶର ରାଜଧାନୀ ଦିଲ୍ଲୀରେ କରୋନା ପୁଣି କଡ଼ ଲେଉଟାଇଛି। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।
ଶନିବାର ଦିନ ଦିଲ୍ଲୀରେ ୪୬୧ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୨ ଜଣ ପ୍ରାଣ ହରାଇଛନ୍ତି। ମାର୍ଚ୍ଚ ୧୫ ପରଠାରୁ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା। ସେହିପରି ରାଜଧାନୀରେ ୫୧ ଦିନ ପରେ କରୋନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୬୨ରେ ପହଞ୍ଚି ଯାଇଛି। ଯଦି ଆଗକୁ ଏହି ମାମଲା ଆହୁରି ବଢ଼େ ତେବେ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ସମ୍ଭାବନା ରହିଛି।
ରାଜଧାନୀ ଦିଲ୍ଲୀରେ କରୋନାର ସକ୍ରିୟ ମାମଲା ଏପ୍ରିଲ ୧୧ ତାରିଖରୁ ଲଗାତର ବଢ଼ିଚାଲିଛି। ଦିଲ୍ଲୀରେ କରୋନା ସକ୍ରିୟ ମାମଲା ସଂଖ୍ୟା ମୁମ୍ବାଇ ତୁଳନାରେ ତିନି ଗୁଣ ଅଧିକ ରହିଛି। ସେହିପରି ମେଟ୍ରୋ ସହର ବେଙ୍ଗାଳୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୬୩ ରେକର୍ଡ କରାଯାଇଛି।
ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୧୫୦ଟି କରୋନାର ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ସଂଖ୍ୟା ୧୧,୫୫୮ ରହିଛି।

ad-week
Leave A Reply

Your email address will not be published.