କଡ଼ ଲେଉଟାଇଲାଣି କରୋନା, ୯୦% ବଢ଼ିଲା ଦୈନିକ ମାମଲା

add-all

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଲାଣି ମହାମାରୀ କରୋନା। ଧୀରେ ଧୀରେ ହେଲାଣି ଉପରମୁହାଁ। ବେଶ୍‌ କିଛି ଦିନର ବିରତି ପରେ ଏବେ କରୋନା କଡ ଲେଉଟାଇଲାଣି। ବଢ଼ିଲାଣି ଦୈନିକ ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୧୮୩ଟି କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୨୧୪ ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ଦୈନିକ କରୋନା ମାମଲା ୧୧୫୦ଟି ରୁଜୁ ହୋଇଥିଲା। ପୂର୍ବରୁ ଏପ୍ରିଲ ୧୬ରେ ୯୭୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏପ୍ରିଲ ୧୫ରେ ୯୫୯ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ପୂର୍ବ ମାମଲାକୁ ଦେଖିଲେ ବର୍ତ୍ତମାନ କରୋନା ମାମଲାରେ ଦୈନିକ ସଂକ୍ରମଣ ପ୍ରାୟ ୯୦% ବୃଦ୍ଧି ପାଇଛି। ବିଶେଷ କରି ଦିଲ୍ଲୀ, ୟୁପି ଏବଂ ହରିୟାଣାରେ ଲଗାତାର କରୋନା ମାମଲା ବଢ଼ିଚାଲିଛି। ବିଶେଷ କରି ଦିଲ୍ଲୀ ଏନ୍‌ସିଆର୍‌ରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ପୁଣି ଥରେ ଏଠାରେ ସ୍କୁଲ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଗତ ସପ୍ତାହରେ ୧୩ରୁ ଅଧିକ ଛୁଆ କରୋନାରେ ସଂକ୍ରମିତ ହେବା ପରେ ନଏଡାର ୩ ଓ ଗାଜିଆବାଦର ଗୋଟିଏ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। ଦିଲ୍ଲୀରେ ମଧ୍ୟ ଗୋଟିଏ ସ୍କୁଲରେ ଶିକ୍ଷକ ଓ ପିଲାମାନେ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସେପଟେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିଶୋଦିଆ ସ୍କୁଲ ବନ୍ଦ କରିବା ନେଇ ସରକାର କୌଣସି ବିଚାର କରିନଥିବା କହିଛନ୍ତି।
ଦେଶର ରାଜଧାନୀ ଦିଲ୍ଲୀରୁ ଏବେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଫଳରେ ଏଠାରେ ସଂକ୍ରମଣ ହାର ୪.୨୧ ପ୍ରତିଶତକୁ ବଢ଼ି ଯାଇଛି। ବର୍ତ୍ତମାନ ଏଠାରେ କରୋନାର ୧୫୧୮ଟି ସକ୍ରିୟ ମାମଲା ରହିଛି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୧୧,୫୪୨ ସକ୍ରିୟ ମାମଲା ରହିଛି।
ଅନେକ ରାଜ୍ୟ କରୋନା ମାମଲା ହ୍ରାସ ପାଉଥିବା ଦେଖିବା ପରେ କୋଭିଡ ପ୍ରତିବନ୍ଧକକୁ ହଟାଇଥିଲେ ସରକାର। ଏବେ ସ୍ଥିତି ପୁଣିଥରେ ବିଗିଡିପାରେ ବୋଲି ଅନୁାମନ କରୁଛନ୍ତି ବିଶେଷଜ୍ଞ। ଯେଉଁଥିପାଇଁ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି।

ad-week
Leave A Reply

Your email address will not be published.