ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଶଂସା କଲା ସଂସଦୀୟ କମିଟି

add-all

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମିଳିଥିବା ସୂଚନା ଅନୁସାରେ ପକ୍ଷ ରଖିବା ପାଇଁ ଅଧିକ ସମୟ ମାଗିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ଏଏସଆଇ । ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଏସଆଇ ତଥ୍ୟ ରଖିପାରିନଥିବା ବେଳେ ଆଜି ଅତିରିକ୍ତ ସମୟ ମାଗିଛି । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ରେ ହେବ ବୋଲି ଜଣାପଡିଛି ।

ଶ୍ରୀମନ୍ଦିରର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଥିଲେ ହାଇକୋର୍ଟ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି? ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ? ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ? ଏହି ୩ଟି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆଜି ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବିସ୍ତୃତ ରିପୋର୍ଟ ଦାଖଲ ହୋଇପାରି ନାହିଁ। ଏଥିପାଇଁ ସେମାନେ ଅଧିକ ସମୟ ମାଗିଛନ୍ତି।

ସେପଟେ ଶ୍ରୀମନ୍ଦିର ପ୍ରକଳ୍ପକୁ କେନ୍ଦ୍ର ସଂସଦୀୟ ଟିମ ପ୍ରଶଂସା କରିଛି । ଶ୍ରୀମନ୍ଦିର ପାରିପାର୍ଶ୍ଵିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତ କରି ଏପରି ପ୍ରତିକ୍ରିୟା ରଖିଛନ୍ତି । ଟି ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଟିମ୍ ପୁରୀ ଆସି ଶ୍ରୀମନ୍ଦିର ପାରିପାର୍ଶ୍ୱିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି କି ନାହିଁ ତାହାର ତଦାରଖ କରିଛି । ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମରେ ୧୬ ଜଣ ସଂସଦ ପ୍ରତିନିଧିଙ୍କ ସମେତ ଅନ୍ୟ ୬ ଜଣ ଅଫିସିଆଲ ରହିଛନ୍ତି ।

ad-week
Leave A Reply

Your email address will not be published.