ଜେଲ୍‌ରେ ରାତିସାରା ହନୁମାନ ଚାଳିଶା ପାଠ କଲେ ରାଣା ଦମ୍ପତି

add-all

ମୁମ୍ବାଇ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗତକାଲି ରାତିସାରା ଜେଲ୍‌ରେ ହନୁମାନ ଚାଳିଶା ପାଠ କରିଥିଲେ।
ଟ୍ୱିଟ୍ କରି ରାଣା ଦମ୍ପତି କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ ସେମାନଙ୍କ ନାଁରେ ମିଛ କେସ୍ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବା ଯୋଜନାରୁ ସେମାନେ ଓହରି ଯାଇଥିଲେ। ଏହା ପରେ ସେମାନଙ୍କ ନାଁରେ ମିଛ କେସ୍ କରାଯାଇଛି।
ସେମାନେ ଆହୁରି ଲେଖିଛନ୍ତି, ଉଦ୍ଧବ ଠାକରେଙ୍କ ଚାପରେ ଆମକୁ ମିଛ ମାମଲାରେ ଗିରଫ କରାଯାଇଛି। ସାନ୍ତା କ୍ରୁଜ୍ ଜେଲ୍‌ରେ ଆମେ ସାରା ରାତି ହନୁମାନ ଚାଳିଶା ପାଠ କଲୁ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ବାରମ୍ବାର ଧମକ ଦେଇ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଅଭିଯୋଗରେ ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ୍ ରାଣା ଦମ୍ପତିଙ୍କୁ ଗିରଫ କରିଥିଲା।
ଚଳିତ ମାସ ପ୍ରାରମ୍ଭରେ ରବି ରାଣା ଦାବି କରିଥିଲେ ଯେ ହନୁମାନ ଜୟନ୍ତୀରେ ଉଦ୍ଧବ ଠାକରେ ତାଙ୍କ ଘରେ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ସେମିତି ନ କରିବେ, ତା’ହେଲେ ସେ ‘ମାତୋଶ୍ରୀ’ ଯାଇ ନିଜେ ହନୁମାନ ଚାଳିଶା ପାଠ କରିବେ। ଗତକାଲି ରାଣା ଦମ୍ପତି ମାତୋଶ୍ରୀ ଯିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ବି ଆଇନ ଶୃଙ୍ଖଳ ସ୍ଥିତି ସୃଷ୍ଟି ନ କରିବାକୁ ଶେଷ ମୁହୂର୍ତ୍ତରେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ।
ଅନ୍ୟପକ୍ଷରେ ରାଣା ଦମ୍ପତିଙ୍କ ବିରୋଧରେ ଆଇପିସିର ଧାରା ୩୫୩ ଅଧୀନରେ ଆଉ ଏକ ମାମଲା ରୁଜୁ କରିଛି ପୁଲିସ୍‌। ଜଣେ ସରକାରୀ କର୍ମଚାରୀଙ୍କ ତାଙ୍କ କାର୍ଯ୍ୟ ସଂପାଦନ କରିବାରେ ବାଧା ଦେବା ଅଭିଯୋଗରେ ଏହି ମାମଲା ରୁଜୁ କରିଛି ପୁଲିସ୍।

ad-week
Leave A Reply

Your email address will not be published.