ସୁନ୍ଦରଗଡ଼ର କିଞ୍ଜିର୍ମାଠାରେ ଜିଲ୍ଲାସ୍ତରୀୟ ଚାଷୀ ମେଳା ଉଦ୍‌ଘାଟିତ…

add-all
  • ସଫଳ ଚାଷୀ ଓ ଏସ୍‌ଏଚ୍‌ଜିଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
  • ବିଭିନ୍ନ ଷ୍ଟଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ଆଧୁନିକ କୃଷି ଯନ୍ତ୍ରପାତି ଓ ବିହନ ପ୍ରଦର୍ଶିତ

ସୁନ୍ଦରଗଡ଼ : ଦେଶବ୍ୟାପୀ ୭୫ତମ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚାଷୀ ମେଳା ଆୟୋଜନ କରାଯାଉଛି। ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ କିଞ୍ଜିର୍ମାସ୍ଥିତ ପ୍ରଗତି ମଣ୍ଡପଠାରେ ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ଚାଷୀ ମେଳା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ମେଳାକୁ ଉଦ୍‌ଘାଟନ କରିବା ସହ ସଫଳ ଚାଷୀ ଓ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ସମ୍ମାନିତ କରିଛନ୍ତି।

ଚାଷୀମାନେ କିପରି ଭାରତୀୟ ଜୈବିକ କୃଷି ପଦ୍ଧତିରେ ଚାଷ କରି ଆୟକୁ ଦ୍ଵିଗୁଣିତ କରିପାରିବେ, ସେଥିପାଇଁ ଚାଷୀ ମେଳାରେ ଏକ ଟେକ୍‌ନିକାଲ ସେସନ୍ ଆୟୋଜନ କରାଯାଇଥିଲା। ମାଣ୍ଡିଆ ଓ ତୈଳବୀଜ ଭଳି ଅର୍ଥକାରୀ ଫସଲର ଉତ୍ପାଦନ ବୃଦ୍ଧି ସହ କିପରି ଜୈବିକ ପ୍ରଣାଳୀରେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ ହୋଇପାରିବ ସେଥିପାଇଁ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା।

“ସୁନ୍ଦରଗଡ଼ ଜିଲ୍ଲାର ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ଦ୍ରବ୍ୟ ଦେଶ ବିଦେଶର ବଜାରରେ ପହଞ୍ଚିପାରିଲେ କୃଷି କ୍ଷେତ୍ରର ବିକାଶ ସହ ଚାଷୀମାନେ ଆର୍ଥିକ ସ୍ତରରେ ଅଧିକ ଲାଭବାନ ହୋଇପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ନିରନ୍ତର ପଦକ୍ଷେପ ନେଇଆସୁଛି । ଏଥିରେ ଚାଷୀ ଓ ଅନ୍ୟ ଗୋଷ୍ଠୀ ସମୂହମାନଙ୍କର ସହଯୋଗ ଓ ସହଭାଗିତାର ଆବଶ୍ୟକତା ରହିଛି”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଏହି ଉତ୍ସବରେ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଜୈବିକ ସାର ପ୍ରୟୋଗ କରି ଅମଳ ହୋଇଥିବା ଖାଦ୍ୟଶସ୍ୟ ଷ୍ଟଲ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ସେହିପରି ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ଓ ବିଭିନ୍ନ କିସମର ବିହନ ମଧ୍ୟ ଷ୍ଟଲରେ ପ୍ରଦର୍ଶିତ ହୋଇଥିଲା। କୃଷିମେଳାକୁ ଆସିଥିବା ଚାଷୀ ଭାଇ ଓ ଭଉଣୀମାନେ ଏହି ଷ୍ଟଲ ସବୁ ବୁଲି ଦେଖିଥିଲେ।

ଏହି ଅବସରରେ ଛତୁ ଚାଷ ପାଇଁ ମୀରାବାଇ ସ୍ଵୟଂ ସହାୟିକା ଗୋଷ୍ଠୀ, ସମନ୍ଵିତ କୃଷି ପାଇଁ ଯୁବ ଚାଷୀ ହିରୋଦ ପଟେଲ, ପନିପରିବା ଚାଷ ପାଇଁ ଶ୍ରୀକାନ୍ତ କିଷାନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶରତ ଚନ୍ଦ୍ର କାଲୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଲକ୍ଷ୍ମୀପ୍ରିୟା ପ୍ରଧାନ, ସିଡିଏଓ ପ୍ରଦୀପ କୁମାର ସାହୁ, ସୁନ୍ଦରଗଡ଼ ସଦର (କ) ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ କୁମାର ନାଏକ, ଡିଡିଏ ଶରତ କୁମାର ପଟେଲ, ଡିଡିଏମ ନାବାର୍ଡ ତାପସ କୁମାର ବେହେରା, ଡିଡିଏଚ ସ୍ଵଦେଶ କୁମାର ଚୌଧୁରୀ, ଏପିଡି ୱାଟରସେଡ ଶରତ କୁମାର ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ଓ ଡିଏମ୍‌ଏଫ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.