ପୁରୀରେ ୨୫୫ ଗ୍ରାମ୍‌ ବ୍ରାଉନ୍‌ସଗାର ଜବତ, ୪ ଅଭିଯୁକ୍ତ ଗିରଫ

add-all

ପୁରୀ: ନିଶା କାରବାର ରୋକିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ବ୍ୟାପକ ଚଢ଼ଉ କରୁଥିବା ବେଳେ ଦଲାଲମାନେ ଏହାକୁ ଖାତିର କରୁନାହାନ୍ତି। ଆଧ୍ୟାତ୍ମିକ ସହର ‘ପୁରୀ’ରେ ଆଜି ଏସ୍‌ଟିଏଫ୍‌ ଓ ବାସେଳିସାହି ଥାନା ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୨୫୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହି ବେଆଇନ୍‌ କାରବାର ସହିତ ଜଡ଼ିତ ଜଣେ ମାଫିଆଙ୍କ ସମେତ ପୁଲିସ ମୋଟ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଜା ସିଂହ (୨୮), ଚନ୍ଦନ ସିଂହ (୨୭), ଗୁଡୁ ନାଏକ (୨୮) ଓ ଅମୂଲ୍ୟ କୁମାର ସ୍ୱାଇଁ (୫୨)। ପ୍ରଥମ ୩ ଜଣ ଅଭିଯୁକ୍ତ ବାସେଳିସାହି ଥାନା ଅଞ୍ଚଳର ହୋଇଥିଲା ବେଳେ ଅମୂଲ୍ୟର ଘର ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ସପନପୁର।

ଏସ୍‌ଟିଏଫ ଓ ବାସେଳିସାହି ଥାନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କଲ୍ୟାଣୀ ମଣ୍ଡପ ନିକଟରେ ଥିବା ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପାଖରେ କିଛି ଅଭିଯୁକ୍ତ ବ୍ରାଉନ୍‌ସୁଗାର କାରବାର କରୁଛନ୍ତି। ତେବେ ଏସ୍‌ଟିଏଫ୍‌ ଓ ପୁଲିସ ଟିମ୍‌ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨୫୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଥିଲେ। ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଟିମ୍‌ ନଗଦ ୨୧୦୦ ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌, ଗୋଟିଏ କାର୍‌ ଓ ୩ଟି ବାଇକ୍‌ ଜବତ କରିଥିଲେ।

ସୂଚନାଯୋଗ୍ୟ, ଏସ୍‌ଟିଏଫ୍‌ ଚଢ଼ଉ ସମୟରେ ୨୦୨୨ ମସିହାରେ ଏପର୍ଯ୍ୟନ୍ତ ମୋଟ୍‌ ୧.୬୧୯ କିଲୋଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ମୋଟ୍‌ ୩୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ad-week
Leave A Reply

Your email address will not be published.