ଲେମ୍ବୁ କିଣାରେ ଦୁର୍ନୀତି, ପୁଲିସ୍‌ ଅଧିକାରୀ ନିଲମ୍ବିତ

add-all

ଚଣ୍ଡିଗଡ଼: ଜେଲରେ ରହୁଥିବା କଏଦୀଙ୍କ ଖାଇବା ପିଇବା ପାଇଁ କିଣା ଯାଉଥିବା ସାମଗ୍ରୀରେ ବ୍ୟାପକ ହେରଫେର ହୋଇଛି। ବିଶେଷ କରି କଏଦୀଙ୍କ ପାଇଁ ଲେମ୍ବୁ କିଣିବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି। ଏମିତି ଏକ ଅଭିଯୋଗ ଆସିଥିବା ପରେ ପଞ୍ଜାବର ଜଣେ ଜେଲ ସୁପରିନଟେଣ୍ଡଣ୍ଟଙ୍କୁ ନିଲମ୍ବିତ କରାଯାଇଛି।
ନିଲମ୍ବିତ ପୁଲିସ୍‌ ଅଧିକାରୀ ଜଣଙ୍କ ହେଲେ ଗୁରୁନାମ ଲାଲ। ସେ କାପୁରଥାଲା ମର୍ଡନ ଜେଲର ସୁପରିନଟେଣ୍ଡଣ୍ଟ ଭାବେ କାମ କରୁଥିଲେ। ସେ ଜେଲ ରେକର୍ଡରେ କଏଦୀଙ୍କ ପାଇଁ ୫୦ କେଜି ଲେମ୍ବୁ କିଣିଥିବା ଦର୍ଶାଇଛନ୍ତି। ହେଲେ କଏକଦୀମାନେ କୌଣସି ପ୍ରକାରର ଲେମ୍ବୁ ପାଇ ନଥିବା ଅଭିଯୋଗ କରିଛନ୍ତି।
ଜେଲରେ ରହିଥିବା ସୁବିଧା ଅସୁବିଧା ବୁଝିବାକୁ ଗୋଟିଏ ଟିମ୍‌ ଯାଇଥିଲା। ଟିମ୍‌ର ସଦସ୍ୟମାନେ କଏଦୀଙ୍କ ସହ କଥାବାର୍ତ୍ତା ହେବା ବେଳେ ସେମାନେ ଜେଲର ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ସେମାନଙ୍କୁ ମିଳୁଥିବା ରାସନରେ ଲେମ୍ବୁ ଦିଆଯାଉ ନଥିବା ଅଭିଯୋଗ କରିଥିଲେ।
ସଦସ୍ୟମାନେ ରେକର୍ଡ ଯାଞ୍ଚ କରିବାରୁ କଏଦୀଙ୍କ ପାଇଁ ଗତ ମାସରେ ୫୦ କେଜି ଲେମ୍ବୁ କିଣା ଯାଇଥିବା ଉଲ୍ଲେଖ ରହିଛି। ଗତ ମାସରେ ଲେମ୍ବୁର କେଜି ପିଛା ଦାମ ବିଭିନ୍ନ ସ୍ଥାନରେ ୨୦୦ ଟଙ୍କା ଛୁଇଁଥିଲା। ଏତିକି ବେଳେ ହିଁ ଜେଲ କର୍ତ୍ତୃପକ୍ଷ ଲେମ୍ବୁ କିଣିଥିବା କାଗଜପତ୍ରରେ ଦର୍ଶାଇଛନ୍ତି।
ହେରଫେର ଘଟଣା ସାମ୍ନାକୁ ଆସିବା ପରେ ପଞ୍ଜାବ ଜେଲ ବିଭାଗର ମନ୍ତ୍ରୀ ହରଜୋତ ସିଂହ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ଜେଲ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଅନେକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇଛି।
କଏଦୀଙ୍କୁ ଲେମ୍ବୁ ଓ ଊପଯୁକ୍ତ ଖାଦ୍ୟ ସାମଗ୍ରୀ ମିଳୁ ନଥିବା ଅଭିଯୋଗ ଆସିବା ପରେ ଏଡିଜିପି(ଜେଲ୍‌) ବୀରେନ୍ଦ୍ର କୁମାର ଜେଲକୁ ଯାଞ୍ଚ କରିବା ପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଇଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ କଏଦୀମାନଙ୍କୁ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଦିଆଯାଉଛି। ସେହିପରି ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମଧ୍ୟ ରନ୍ଧା ଯାଉନି। ଜେଲରେ ପ୍ରସ୍ତୁତ ହେଉଥିବା ରୁଟିର ଓଜନ ୫୦ ଗ୍ରାମରୁ କମ। ଏହାର ଅର୍ଥ ଜେଲ ପାଇଁ ଆସୁଥିବା ଅଟାକୁ ମଧ୍ୟ ଅନ୍ୟତ୍ର ହରଚାଲ କରାଯାଉଥିବା ଦୁଇ ଅଧିକାରୀ ଜାଣିବାକୁ ପାଇଥିଲେ।
ଲେମ୍ବୁ ବ୍ୟତୀତ ଅନ୍ୟ ପନି ପରିବା କିଣାରେ ମଧ୍ୟ ହେରଫେର ହୋଇଛି। ରେକର୍ଡରେ ଗୋଟିଏ କଥା ଉଲ୍ଲେଖ ଥିବା ବେଳେ ବାସ୍ତବରେ ସେତିକି ପରିମାଣର ପନି ପରିବା ଜେଲକୁ ଆସୁ ନଥିବା ତଦନ୍ତକୁ ସ୍ପଷ୍ଟ ହୋଇଛି। ଏସବୁ ଘଟଣା ପାଇଁ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇ ଅଧିକ ତଦନ୍ତ କରାଯାଉଛି।

ad-week
Leave A Reply

Your email address will not be published.