ରୁଷ ରାଷ୍ଟ୍ରଦୂତଙ୍କ ମୁହଁକୁ ନାଲି କାଳି ମାଡ଼ 

add-all

ମସ୍କୋ: ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ସର୍ଗେୟି ଆନ୍ଦ୍ରେଭଙ୍କୁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପାଇଁ ଆୟୋଜିତ ବାର୍ଷିକ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଆନ୍ଦ୍ରେଭଙ୍କ ମୁହଁକୁ ବିକ୍ଷୋଭକାରୀମାନେ ନାଲି ରଙ୍ଗର କାଳି ମାଡ଼ କରିଛନ୍ତି। ଏହି କାଳିମାଡ଼ର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏବେ ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ବିକ୍ଷୋଭକାରୀମାନେ ସୋଭିଏତ ସୈନ୍ୟଙ୍କ ସ୍ମାରକୀ ଆଗରେ ହିଁ ଆନ୍ଦ୍ରେଭଙ୍କୁ ଆକ୍ରମଣ କରିଛନ୍ତି। ଭିଡିଓ ଅନୁଯାୟୀ, ସୋଭିଏତ ସୈନ୍ୟଙ୍କୁ ସମ୍ମାନ ଜଣାଇବା ପାଇଁ ଆନ୍ଦ୍ରେଭ ଓ ରୁଷର ଗୋଟିଏ ପ୍ରତିନିଧି ମଣ୍ଡଳ ୱାରସରେ ପହଞ୍ଚିଥିଲେ। ହେଲେ ସେମାନେ ସେଠାକୁ ଯାଉଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ।
ରୁଷ ପ୍ରତିନିଧିମାନଙ୍କୁ ବିକ୍ଷୋଭକାରୀ ଘେରି ଯାଇଥିଲେ। ପ୍ରଥମେ କିଛି ବିକ୍ଷୋଭକାରୀ ଆନ୍ଦ୍ରେଭଙ୍କ ପଛ ପଟୁ ଜିନିଷ ମାଡ଼ କରିଥିଲେ। ଏହାପରେ ଜଣେ ବିକ୍ଷୋଭକାରୀ ସାମ୍ନା ପଟୁ ହିଁ ତରଳ ନାଲି ରଙ୍ଗକୁ ତାଙ୍କ ମୁହଁକୁ ମାଡ଼ କରିଥିଲେ। ଫଳରେ ତାଙ୍କ ମୁହଁ ସାରା ନାଲି ରଙ୍ଗର ଲିକ୍ୟୁଡି ବୋଳି ହୋଇଯାଇଥିଲା।
ଏହା ଦେଖି ଆନ୍ଦ୍ରେଭ ଅତ୍ୟନ୍ତ ଚିଢ଼ି ଯିବା ସହ ଘଟଣା ସ୍ଥଳରୁ ଅନ୍ୟ ପ୍ରତିନିଧିମାନଙ୍କ ସୁରକ୍ଷାକର୍ମୀଙ୍କ ସହାୟତାରେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ। ବିକ୍ଷୋଭକାରୀମାନେ ୟୁକ୍ରେନ ଉପରେ ରୁଷ ସେନା କରୁଥିବା ଆକ୍ରମଣକୁ ବିରୋଧ କରି ଏମିତି କାଣ୍ଡ ଘଟାଇଛନ୍ତି। ସେମାନେ ଧଳା ପୋଷାକ ପିନ୍ଧି ପ୍ରତିବାଦ ସ୍ୱରୁପ ନକଲି ରକ୍ତ ଛିଟା ଏଥିରେ ପକାଇଥିଲେ। ଏଥିସହ ସେମାନେ ରୁଷ ରାଷ୍ଟ୍ରଦୂତଙ୍କୁ ଦେଖିବା ମାତ୍ରେ ଫାଶୀବାଦୀ କହି ନାରା ଦେଇଥିଲେ।

ad-week
Leave A Reply

Your email address will not be published.