ଆସନ୍ତା ୨୨ରେ କାଗଜପତ୍ର ସହ ହାଜର ହେବାକୁ ଜିତୁ ପଟ୍ଟନାୟକଙ୍କୁ ସମନ

add-all

କେନ୍ଦୁଝର: ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ଶେଷ ହୋଇଛି। ଏହା ସହିତ ସମସ୍ତ କାଗଜପତ୍ର ଧରି ମେ’ ୨୨ ତାରିଖରେ ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ ସମନ ଦିଆଯାଇଛି। ଚଢ଼ାଉ ବେଳେ ଜିତୁ ପଟ୍ଟନାୟକଙ୍କ ଘରୁ ଓ ଅଫିସରୁ ବହୁ ଗୁରୁତ୍ଵପୂର୍ଣ୍ଣ ନଥିପତ୍ର ଏବଂ ହାର୍ଡ ଡିକ୍ସି ଜବତ କରିଛି ଇଡି।

ତାଙ୍କ ଚମ୍ପୁଆ ସ୍ଥିତ ବାସଭବନରୁ ନଗଦ ୫୫ ଲକ୍ଷ ଓ ଅଫିସରୁ ୧୪ ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ଫିକ୍ସଡ ଡିପୋଜିଟ୍ ବାବଦକୁ ୧୩୦ କୋଟି ଟଙ୍କାର ବଣ୍ଡ ଜବତ କରିଛି ଇଡି।

ଜବତ ଟଙ୍କା, ଫିକ୍ସଡ ଡିପୋଜିଟ୍ ଅର୍ଥ ଓ ଅନ୍ୟାନ୍ୟ ଅର୍ଥ କାରବାରକୁ ନେଇ ଜିତୁ ପଟ୍ଟନାୟକଙ୍କ ବୟାନ ରେକର୍ଡ କରିବାକୁ ଇଡି ତାଙ୍କୁ ୨୨ ତାରିଖରେ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୦୯ରେ ତାଙ୍କ ବାପାଙ୍କ ନାମରେ ଥିବା ବିଡି ପଟ୍ଟନାୟକ ଖଣିରେ ଅନିୟମିତତା ହୋଇଥିବା ନେଇ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଜରିମାନା ବାବଦକୁ ୧୩୦ କୋଟି ଟଙ୍କା ମଧ୍ୟ ସେ ଜମା କରିଥିଲେ। ହେଲେ ଭିଜିଲାନ୍ସ ଦ୍ୱାରା ଦାଏର ଏହି କେସ୍‌କୁ ନେଇ ଇଡି ତଦନ୍ତ ଆରମ୍ଭ କରି ଚଢ଼ାଉ କରିଛି। ସେ ବିଡି ପଟ୍ଟନାୟକ ଖଣିର ଲିଗାଲ ହେୟାର ଥିବାରୁ ଇଡି ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି।

ଘରୁ ଓ ଅଫିସ୍‌ରୁ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରାଯିବା ନେଇ ସେ କହିଛନ୍ତି, ମୋ ପେଟ୍ରୋଲ ଟାଙ୍କିରୁ ଯେଉଁ କଲେକ୍ସନ ହୁଏ, ସେଇ ଟଙ୍କା ମୋ ପାଖକୁ ଆସେ। ମୁଁ କ୍ୟାସ୍ ବୁକ୍ ଯାଞ୍ଚ କରି ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବାକୁ ଦେଇଥାଏ। ମୁଁ ୭-୮ ହେବ ଅନୁପସ୍ଥିତ ଥିବାରୁ ସେଇ ଟଙ୍କା ରହି ଯାଇଥିଲା। ସେହିଭଳି ମୋ ଘର କାମ ଚାଲିଛି। ସେଥିପାଇଁ ମୁଁ ବ୍ୟାଙ୍କରୁ ଟଙ୍କା ଉଠାଇ ରଖିଛି। ତେଣୁ ସେହି ନଗଦ ଟଙ୍କା ବି ମୋ ପାଖରେ କିଛି ଥିଲା।

ଇଡି ଚଢ଼ାଉ ବେଳେ ଜିତୁ ପଟ୍ଟନାୟକଙ୍କ ଘରୁ ୧୩୦ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବଣ୍ଡ ଜବତ କରିଥିବା ବେଳେ ଏନେଇ ବି ସେ ହିସାବ ଦେଇଛନ୍ତି। ସେ କହିଛନ୍ତି, କଳା ଟଙ୍କା କେହି ଫିକ୍ସଡ ଡିପୋଜିଟ୍ କରେନି। ମୋର ହ୍ୱାଇଟ୍ ମନି। ଖଣିରୁ ମୁଁ ଯେଉଁ ଲାଭ ପାଉଛି, ତାକୁ ମୁଁ ଫିକ୍ସଡ ଡିପୋଜିଟ୍ କରେ। ମୁଁ ପଟ୍ଟନାୟକ ଷ୍ଟିଲ୍‌ର ଏମ୍‌ଡି ଅଛି। ମୋତେ ମାସକୁ ୨୦ ଲକ୍ଷ ଟଙ୍କା ଦରମା ପାଏ। ସେ ଟଙ୍କାକୁ ମୁଁ ଫିକ୍ସଡ ଡିପୋଜିଟ୍ କରେ। ପଟ୍ଟନାୟକ ମିନେରାଲ୍‌ରେ ମୁଁ ଡାଇରେକ୍ଟର ଅଛି। ଏ ବର୍ଷ ସେଠାରୁ ମୋତେ ୨୦ କୋଟି ଟଙ୍କା ମିଳିଛି। ଏଭଳି ପ୍ରତିବର୍ଷ ମିଳେ। ସେଇ ଅର୍ଥ ବି ମୁଁ ଫିକ୍ସଡ ଡିପୋଜିଟ୍ କରେ। ଏ ଯେଉଁ ଫିକ୍ସଡ ଡିପୋଜିଟ୍ ଦେଖାଯାଇଛି, ତାହା ୫ ବର୍ଷର।

ସେ ଆହୁରି କହିଛନ୍ତି, ମୁଁ ଯେତେବେଳେ ଏମ୍‌ଏଲ୍‌ଏ ଥିଲି ଦରମା ବାବଦକୁ ମିଳୁଥିବା ଟଙ୍କା କେବେ ଖର୍ଚ୍ଚ କରି ନଥିଲି। ସେ ଟଙ୍କାକୁ ବି ମୁଁ ଫିକ୍ସଡ ଡିପୋଜିଟ୍ କରିଛି। ବାକି ମୋର ଘର ଭଡ଼ା ଲାଗିଛି। ୩୦ଟି ଦୋକାନ ଘର ଭଡ଼ାରେ ଲଗାଇଛି। ସେଥିରୁ ଟଙ୍କା ଆସୁଛି। ୩୦-୪୦ଟି ପରିବାର ମୁଁ କରିଥିବା ଫ୍ଲାଟ୍‌ରେ ରହୁଛନ୍ତି। ସେଥିରୁ ବି ମୁଁ ଯେଉଁ ଟଙ୍କା ପାଏ ଓ ତାକୁ ବି ମୁଁ ଫିକ୍ସଡ୍ ଡିପୋଜିଟ୍ କରେ। ଏହା ହେଉଛି ମୋର ଆୟ। ମୁଁ ଏସବୁ କହିବା ପରେ ଇଡି ଅଧିକାରୀମାନେ ମୋତେ ଏ ସବୁ ବୟାନ ଆକାରରେ ଦେବା ପାଇଁ କହିଛନ୍ତି। ନଗଦ ଓ ଫିକ୍ସଡ୍ ଡିପୋଜିଟ୍ ଅର୍ଥର ଯେଉଁ ସବୁ ଉତ୍ସ କଥା ମୁଁ କହିଛି, ତା’ର ପ୍ରମାଣ ଦେବାକୁ ମୋତେ କୁହାଯାଇଛି।

ad-week
Leave A Reply

Your email address will not be published.