
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଗିରଫଦାରୀ ପ୍ରତିବାଦରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଜି ଦୋକାନ ବଜାର ବନ୍ଦ କରାଯାଇଛି। ଅମାନତୁଲ୍ଲାଙ୍କ ପତ୍ନୀ ଶାଫିଆ ଖାନ ଓଖଲାର ବ୍ୟବସାୟୀମାନଙ୍କୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ନ ଖୋଲିବାକୁ ଅନୁରୋଧ କରିଛନ୍ତି।
ଗତକାଲି ଅମନତୁଲ୍ଲାଙ୍କୁ ପୁଲିସ୍ ଦଙ୍ଗା ସୃଷ୍ଟି ପାଇଁ ଉଦ୍ୟମ ଓ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାମରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗରେ ଗିରଫ କରିଥିଲା। ଦକ୍ଷିଣପୂର୍ବ ଦିଲ୍ଲୀରେ ପ୍ରଶାସନ ବୁଲଡୋଜର ଚଳାଉଥିବାରୁ ଏହାକୁ ବିଧାୟକ ଅମାନତୁଲ୍ଲା ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପୁଲିସ୍ ବିଧାୟକଙ୍କୁ ଗିରଫ କରିଛି।
ଆଜି ଅମାନତୁଲ୍ଲାଙ୍କ ଆକାଉଣ୍ଟରୁ ପତ୍ନୀ ଶାଫିଆ ଟ୍ୱିଟ କରିଛନ୍ତି ଯେ “ଅମାନତୁଲ୍ଲା ଖାନ ଲୋକଙ୍କ ସ୍ୱର ଉଠାଇବାକୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଓଖଲାର ଲୋକମାନଙ୍କୁ ମୋର ଅନୁରୋଧ ଯେ ସେମାନେ ଗିରଫଦାରୀ ବିରୋଧରେ ଆଜି ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ନିଜ ନିଜର ଦୋକାନ ବନ୍ଦ ରଖନ୍ତୁ। ଏହାଦ୍ୱାରା ଲୋକମାନେ ନିଜ ବିଧାୟକଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ଅତ୍ୟାଚାରୀ ବିଜେପି ସରକାର ଜାଣିପାରିବ।”
ଲୋକମାନେ ବିଧାୟକଙ୍କ ସମର୍ଥନରେ ବାହାରି ଥିବା ବେଳେ ଆପ୍ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇନି। ବିଶେଷ କରି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେବଳ ନୀରବଦ୍ରଷ୍ଟା ସାଜିଥିବାରୁ ଏହାକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ବିଧାୟକଙ୍କ ଗିରଫଦାରୀକୁ ନେଇ ଆପ୍ର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆପ୍ ନେତାମାନଙ୍କ ନୀରବତା ଆଶ୍ଚର୍ଯ୍ୟଜନକ। ସିଏଏ ଓ ଏନଆରସି ବିଷୟରେ କେଜ୍ରିୱାଲ ବିଜେପିର ସମର୍ଥନ କରିଥିଲେ। ଏହି ସମୟରେ ଅମାନତୁଲ୍ଲା ଖାନ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ ବୋଲି ଦିଗବିଜୟ ଟ୍ୱିଟ କରିଛନ୍ତି।
ଏଥିସହ ଅମାନତୁଲ୍ଲା ଖାନଙ୍କ ପତ୍ନୀ ଟ୍ୱିଟ କରିଥିବା ଗୋଟିଏ ପୋଷ୍ଟର ସ୍କ୍ରିନ ଶଟ୍ ମଧ୍ୟ ଶ୍ରୀ ସିଂହ ଶେୟାର କରିଛନ୍ତି। ଏହି ପୋଷ୍ଟକୁ ଶାଫିଆ ଗତକାଲି ଟ୍ୱିଟ କରିଥିଲେ।
ସୂଚନାଯୋଗ୍ୟ, ଗୁରୁବାର ମଦନପୁର ଖାଦରରେ ହେଉଥିବା ଉଚ୍ଛେଦକୁ ବିଧାୟକ ଖାନ ଓ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ। ଏଥିପାଇଁ ସେମାନଙ୍କୁ ଦୀର୍ଘ ଘଣ୍ଟା ଅଟକ ରଖାଯାଇଥିଲା। ଏହାପରେ ସମସ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ପୂର୍ବରୁ ଅମାନତୁଲ୍ଲା କହିଥିଲେ “ଗରିବ ଲୋକଙ୍କ ଘରର ସୁରକ୍ଷା ପାଇଁ ମୋତେ ଯଦି ଜେଲ ଯିବାକୁ ପଡ଼େ, ତା’ହେଲେ ମୁଁ ପ୍ରସ୍ତୁତ। ଏଠାରେ କୌଣସି ପ୍ରକାରର ଜବରଦଖଲ ହୋଇନି। ପ୍ରକୃତ ଜବରଦଖଲ ଉଚ୍ଛେଦ ପାଇଁ ପୌରପାଳିକା ଯଦି କୌଣସି ପ୍ରକାରର ପଦକ୍ଷେପ ନିଏ, ତା’ହେଲେ ତା’କୁ ମଁା ସମର୍ଥନ କରିବି।”