ଦାଉଦ ଗ୍ୟାଙ୍ଗ ଉପରେ ଏନଆଇଏର ଷ୍ଟ୍ରାଇକ, ଛୋଟା ଶକିଲର ଦୁଇ ସହଯୋଗୀ ଗିରଫ

add-all

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ୍‌ର ସହଯୋଗୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହିକ୍ରମରେ ଦାଉଦ ଗ୍ୟାଙ୍ଗରେ ସାମିଲ ଥିବା ଛୋଟା ଶକିଲର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଏନଆଇଏ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆରିଫ ଅବୁବକର ଶେଖ(୫୯) ଓ ଶବିର ଅବୁକବର ଶେଖ(୫୧)। ଉଭୟ ଛୋଟା ଶକିଲର ଅତ୍ୟନ୍ତ ଘନିଷ୍ଠ।
ଏନଆଇଏ କହିଛି ଯେ ଉଭୟ ଡି-କମ୍ପାନୀର ବେଆଇନ କାର୍ଯ୍ୟର ତଦାରଖ କରୁଥିଲେ। ଏଥିସହ ଦକ୍ଷିଣ ମୁମ୍ବାଇ ଉପକଣ୍ଠରେ ଟେରର ଫାଇନାନସିଂ କାମରେ ସାମିଲ ଥିଲେ। ସେମାନଙ୍କୁ ଏନଆଇଏ ସ୍ପେଶାଲ କୋର୍ଟରେ ହାଜର କରାଯାଇ ରିମାଣ୍ତରେ ଅଣାଯିବ।
ତଦନ୍ତରୁ ଜଣାପଡ଼ିଛି ଯେ ସୀମା ସେପଟେ ଥିବା ଦାଉଦ ଗ୍ୟାଙ୍ଗ ଭାରତରେ ସବୁ ପ୍ରକାରର ବେଆଇନ କାର୍ଯ୍ୟକଳାପକୁ ପରିଚାଳନା କରୁଛି। ଏହି ଘଟଣାରେ ୨୧ ଜଣଙ୍କୁ ସମନ କରାଯାଇଛି। ସେମାନଙ୍କୁ ଜେରା କରିବା ପରେ ନୂଆ ତଥ୍ୟ ଆସିବ ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି।
ଚଳିତ ସପ୍ତାହରେ ଏନଆଇଏ ମୁମ୍ବାଇ ଓ ମୀରା ରୋଡରେ ଥିବା ୨୪ଟି ସ୍ଥାନରେ ରେଡ୍ କରିଥିଲା। ଏହି ସମୟରେ ଅନେକ ପ୍ରକାରର ଦସ୍ତାବିଜ ଓ ଇଲେକଟ୍ରୋନିକ୍ସ ପ୍ରମାଣ ଜବତ କରାଯାଇଥିଲା। ଯେଉଁ ସବୁ ଠିକଣାରୁ ଏଗୁଡ଼ିକ ଜବତ କରାଯାଇଥିଲା, ସେଠାକାର ଲୋକଙ୍କୁ ଜଣଙ୍କ ପରେ ଜଣେ ସମନ କରାଯିବ ବୋଲି ଏନଆଇଏ କହିଛି।

ad-week
Leave A Reply

Your email address will not be published.