ରାଜ୍ୟରେ ଧାନସଂଗ୍ରହ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ

add-all

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହିସବୁ ଭିତ୍ତିଭୂମିର ଯୋଜନା ପ୍ରସ୍ତୁତି ଓ ନିର୍ମାଣ ଓ ଆବଶ୍ୟକ ବ୍ୟୟ ଭାର ବହନ କରିବା ଦିଗରେ ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି କରାଯାଇଛି। ରାଜ୍ୟରେ ପ୍ରତିବର୍ଷ ଚାଷୀମାନଙ୍କଠାରୁ ଧାନସଂଗ୍ରହର ପରିମାଣ ବୃଦ୍ଧି ପାଉଛି ଏବଂ ଅଧିକରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକି୍ର କରିବା ପାଇଁ ନାମ ପଂଜୀକରଣ କରୁଛନ୍ତି। ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିକି୍ର କରିପାରିବେ, ସେଥିନେଇ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମିର ନିର୍ମାଣକୁ ଅଗ୍ରାଧିକାର ଦେଇଛନ୍ତି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମବାୟ ସମିତି ନିବନ୍ଧକଙ୍କୁ କୁହାଯାଇଛି।

ଯେଉଁସବୁ ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି, ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ଆବଶ୍ୟକତାର ପୁନଃଆକଳନ ଓ ଖର୍ଚ୍ଚ ଅଟକଳ ତୁରନ୍ତ ପ୍ରସ୍ତୁତ କରି ବିଭାଗକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଦିନିଆ ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କ ଧାନ ସୁରକ୍ଷିତ ରଖିବା ଦିଗରେ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରର ପିଣ୍ଡିଗୁଡ଼ିକ ଉଚ୍ଚ କରିବା, ଉପର ଛାତ ଏବଂ ଗୋଦାମ ଗୃହ ଆଦିର ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଯେଉଁ ମଣ୍ଡିରେ ଏହିସବୁ ସୁବିଧା ନାହିଁ, ସେଠାରେ ଉପଯୁକ୍ତ ସରକାରୀ ଜମିର ହସ୍ତାନ୍ତରଣ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପାଇଁ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରମାନଙ୍କୁ ବିଭାଗ ପକ୍ଷରୁ ଅଧିକୃତ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ତେବେ ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ସେମାନଙ୍କ ଦ୍ୱାରା ଧାନସଂଗ୍ରହ ସମୟରେ ଆଦାୟ କରାଯାଇଥିବା ଉନ୍ନୟନ ଫିସ୍‌ ଏବଂ ପ୍ୟାକ୍ସ ଓ ଲ୍ୟାମ୍ପସ୍‌କୁ ଧାନସଂଗ୍ରହ ବାବଦକୁ ମିଳୁଥିବା କମିଶନ ଅର୍ଥକୁ ମଣ୍ଡିର ପିଣ୍ଡିକୁ ଉଚ୍ଚ କରିବା, ଉପର ଛାତ, ଗୋଦାମ ଗୃହ ନିର୍ମାଣ ସହିତ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଖର୍ଚ୍ଚ କରାଯାଇପାରିବ।
ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଣ୍ଡି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଯୋଜନା ଓ ବ୍ୟୟ ଅଟକଳକୁ ଅନୁମୋଦନ କରିବେ। ପ୍ରକଳ୍ପର ବୈଷୟିକ ଅନୁମୋଦନ ସଂପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା/ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକୃତ ବୈଷୟିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତଦାରଖରେ ସଂପୃକ୍ତ ପଞ୍ଚାୟତ ସମିତି ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବ।

ad-week
Leave A Reply

Your email address will not be published.